ମଧ୍ୟପ୍ରଦେଶ : କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର । ମଙ୍ଗଳବାର ଦିନ ମାଈ ଚିତା ବୀରାର ଔରସରୁ ଦୁଇ ଶାବକ ଜନ୍ମ ନେଇଛନ୍ତି । ଜନ୍ମ ପରେ ଦୁଇ ଚିତା ଶାବକ ସୁସ୍ଥ ଅଛନ୍ତି । ଯାହାର ଏକ ଭିଡିଓ ସେୟାର କରିଛନ୍ତି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ଭିଡିଓରେ ଚିତା ଶାବକ ଦୁଇଟି ଚଳପ୍ରଚଳ କରୁଥିବାର ଦେଖାଯାଇଛି । ଏହି ଦୁଇଙ୍କୁ ମିଶାଇ ଏବେ ପାର୍କରେ ମୋଟ ଚିତା ସଂଖ୍ୟା ୨୬ ହୋଇଯାଇଛି ।
ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଚିତା ମାନଙ୍କର ଭିଡିଓ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିବା ସହ ଲେଖିଛନ୍ତି ଯେ ଛୋଟ ଚିତାମାନଙ୍କ ହସରେ କୁନୋ ପୁଣି ପ୍ରତିଧ୍ୱନିତ ହୋଇଛି ।
ମଧ୍ୟପ୍ରଦେଶର 'ଜଙ୍ଗଲ ବୁକ୍'ରେ ଦୁଇଟି ଚିତା ଛୁଆ ପ୍ରବେଶ କଲେ । ମଧ୍ୟପ୍ରଦେଶର ଭୂମିରେ ଚିତାଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି ବୋଲି ମୁଁ ଏହି ସୂଚନା ଦେଇ ବହୁତ ଖୁସି ଅନୁଭବ କରୁଛି। ଆଜି, ମାଈ ଚିତା ବୀରା ଦୁଇଟି ଶାବକ ଜନ୍ମ ଦେଇଛି । ମଧ୍ୟପ୍ରଦେଶ ଭୂମିରେ ଚିତା ଶାବକଙ୍କୁ ସ୍ୱାଗତ କରାଯାଉଛି ଏବଂ ମୁଁ ଏହି ଶାବକ ମାନଙ୍କ ଆଗମନ ପାଇଁ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ପ୍ରକଳ୍ପ ସହିତ ଜଡିତ ସମସ୍ତ ଅଧିକାରୀ, ଡାକ୍ତର ଏବଂ କ୍ଷେତ୍ର କର୍ମଚାରୀଙ୍କୁ ଅଭିନନ୍ଦନ; ଯାହାଙ୍କ ଅକ୍ଳାନ୍ତ ପରିଶ୍ରମର ଫଳସ୍ୱରୂପ, ଆଜି ମଧ୍ୟପ୍ରଦେଶ 'ଚିତାଙ୍କ ଭୂମି' ଭାବରେ ମଧ୍ୟ ଜଣାଶୁଣା।
ରାଜ୍ୟରେ ଚିତାଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବା ଯୋଗୁଁ, ରାଜ୍ୟରେ ପର୍ଯ୍ୟଟନକୁ ନୂତନ ପ୍ରୋତ୍ସାହନ ମିଳୁଛି ଯାହା ଫଳରେ ନିଯୁକ୍ତିର ନୂତନ ଦ୍ୱାର ଖୋଲିଯାଉଛି। ଏହି ଚିତା ସମେତ ସମସ୍ତ ବନ୍ୟପ୍ରାଣୀଙ୍କ ସଂରକ୍ଷଣ, ପ୍ରୋତ୍ସାହନ ଏବଂ ପୁନରୁଦ୍ଧାର ପାଇଁ ସର୍ବଦା ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ।