ନୂଆଦିଲ୍ଲୀ: ଆସିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର । ୮ମ ସେଣ୍ଟ୍ରାଲ ପେ’ କମିଶନକୁ ମଞ୍ଜୁରୀ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ଗୁରୁବାର ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସମସ୍ତ ରାଜ୍ୟ ସରକାର ଓ ପିଏସୟୁ ସହ ଆଲେଚନା ପରେ ମଞ୍ଜୁରୀ ମିଳିଛି।
କମିଶନର ରିପୋର୍ଟ ଆଧାରରେ କର୍ମଚାରୀଙ୍କ ଦରମା ଏବଂ ପେନସନଭୋଗୀଙ୍କ ପେନସନ ବୃଦ୍ଧି କରାଯିବ। ଏଥିରେ ୧ କୋଟିରୁ ଉଦ୍ଦ୍ୱର୍ ଲୋକେ ଉପକୃତ ହେବେ । ତେବେ ଏହି କମିଶନ ୨୦୨୬ ସୁଦ୍ଧା ଗଠନ ହେବ । କମିଶନଙ୍କ ସୁପାରିସ ଆଧାରରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବେତନ ନିର୍ଦ୍ଧାରଣ କରାଯିବ ।
ବର୍ତ୍ତମାନ ସପ୍ତମ ବେତନ କମିଶନ ସୁପାରିସ ଆଧାରରେ କେନ୍ଦ୍ର ସରକାରୀ କର୍ମଚାରୀ ବେତନ ପାଉଛନ୍ତି। ସପ୍ତମ ବେତନ କମିଶନଙ୍କ ସୁପାରିସକୁ ନରେନ୍ଦ୍ର ମୋଦିଙ୍କ ସରକାର ୨୦୧୬ ଜାନୁଆରୀରେ ଲାଗୁ କରିଥିଲେ । ଏହାର କାର୍ଯ୍ୟକାଳ ୨୦୨୫ ଡିସେମ୍ବର ୩୧ରେ ସରିବାକୁ ଯାଉଛି । ତେଣୁ ୨୦୨୬କୁ ଅଷ୍ଟମ ବେତନ ଲାଗୁ କରାଯିବ ।
ପୂର୍ବରୁ ମଧ୍ୟ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ବେତନ କମିଶନର ସୁପାରିସ ୧୦ ବର୍ଷ ଲେଖାଏଁ ଲାଗୁ ହୋଇଥିଲା । ଏଥିପାଇଁ କ୍ୟାବିନେଟ୍ ସଚିବଙ୍କୁ ଭେଟି ଅଷ୍ଟମ ସେଣ୍ଟ୍ରାଲ ପେ’ କମିଶନ ଗଠନ ପାଇଁ କେନ୍ଦ୍ରୀୟ କର୍ମଚାରୀଙ୍କ ସଂଗଠନ ଗୁଡ଼ିକ ଦାବି ବାରମ୍ବାର କରିଥିଲେ।