ଉତ୍ତରାଖଣ୍ଡରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ସୂଚନା ଅନୁସାରେ, ଉତ୍ତରାଖଣ୍ଡର ମସୌରୀର ଏକ ହୋଟେଲରେ ଲାଗିଛି ନିଆଁ । ନିଆଁ ଲାଗିଲାବେଳେ ହୋଟେଲର ଥିବା କର୍ମଚାରୀମାନଙ୍କ ମଧ୍ୟରେ ଏକ ଭୟର ବାତାବରଣ ଖେଳିଯାଇଥିଲା ଫଳରେ କର୍ମଚାରୀମାନେ ଏଣେତେଣେ ଦୌଡ଼ି ପଳାଇ ଆସିଥିଲେ । ନିଆଁ ଖୁବ୍ ଶୀଘ୍ର ସାରା ହୋଟେଲକୁ ବ୍ୟାପି ଭୟଙ୍କର ରୂପ ଧାରଣ କରିଥିଲା । ଯାହା ଫଳରେ ହୋଟେଲ ଓ ହୋଟେଲରେ ଥିବା ସମସ୍ତ ଜିନିଷ ପତ୍ର ଜଳିପୋଡ଼ି ନଷ୍ଟ ହୋଇଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ କଠିନ ପରିଶ୍ରମ କରିଥିଲେ । ଦୀର୍ଘ ସମୟ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇଥିଲା । ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ହୋଟେଲର ମରାମତି କାର୍ଯ୍ୟ ଚାଲୁଥିବା ବେଳେ ଏମିତି ଏକ ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ସୂଚନା ମିଳିଛି । ହୋଟେଲ ତଳେ ଥିବା ଦୁଇଟି କାର୍ ଜଳି ଯାଇଛି । ଅଗ୍ନିକାଣ୍ଡ ଘଟିବା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୟଭୀତ ହୋଇଯାଇଥିଲେ ।
ଆଗକୁ ପଢ଼ନ୍ତୁ : ଗୋଧ୍ରା ଯାଉଥିବା ଟ୍ରେନରେ ଲାଗିଗଲା ନିଆଁ