ଟ୍ରେନରେ ଲାଗିଲା ନିଆଁ। ହୁତୁହୁତୁ ହୋଇ ଜଳିଲା ଟ୍ରେନ ଇଞ୍ଜିନ ଓ ବଗି । କିନ୍ତୁ ଅଳ୍ପକେ ବର୍ତ୍ତିଗଲେ ବଗିରେ ଥିବା ସମସ୍ତ ଯାତ୍ରୀ। ଆଜି ସକାଳେ ଗୁଜରାଟର ଦାହୋଦ ନିକଟରେ ଗୋଦରା ଯାଉଥିବା ଟ୍ରେନର ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଜାକୋଟ ଷ୍ଟେସନ ନିକଟରେ ଦାହୋଡ ଆନନ୍ଦ ମେମୁ ଟ୍ରେନର ଗୋଟିଏ ବଗି ହୁତୁହୁତୁ ହୋଇ ଜଳି ନଷ୍ଟ ହୋଇଯାଇଛି। ନିଆଁରେ ଜଳି ପୋଡ଼ି ପାଉଁଶ ହୋଇଗଲା ବଗିରେ ଥିବା ଜିନିଷପତ୍ର। ସୋସିଆଲ ମିଡିଆରେ ଏପରି ଏକ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଥିଲା। ଏହି ଘଟଣାଟି ଦାହୋଦ-ଆନନ୍ଦ ମେମୁ ଟ୍ରେନ୍ ନଂ ୯୩୫୦ରେ ଘଟିଛି | ଯେହେତୁ ନିଆଁ ଶୀଘ୍ର ସଂଯୋଗ କୋଚକୁ ବ୍ୟାପିଯାଇଥିଲା, ସେଥିପାଇଁ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା | ତେବେ ଅଗ୍ନିଶମ ବିଭାଗର ଅଧିକାରୀମାନେ ଏହି ଅଗ୍ନିକାଣ୍ଡକୁ ଆୟତ୍ତ କରିଥିବାବେଳେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାଯାଇଛି।
ସୂଚନାନୁଯାୟୀ, ଟ୍ରେନ୍ ସକାଳ ପ୍ରାୟ ୧୧:୩୮ ରେ ଦାହୋଡରୁ ବାହାରି ଗୋଧ୍ରା ଅଭିମୁଖେ ଯାଉଥିଲା। କିନ୍ତୁ ହଠାତ୍ ଜାକୋଟ ଷ୍ଟେସନ ନିକଟରେ ଏହାର ଏକ ବଗିରେ ନିଆଁ ଲାଗି ଯାଇଥିଲା। ଏହା ଦେଖି ଲୋକମାନେ ବଗିରୁ ବାହାରି ଦୌଡ଼ିବାକୁ ଲାଗିଥିଲେ। ଫଳରେ କିଛି ସମୟ ପାଇଁ ଦଳାଚକଟା ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ଟ୍ରେନ ପୋଡ଼ି କିମ୍ବା ଦଳାଚକଟାରେ କେହି ବି ମୃତାହତ ହୋଇ ନାହାନ୍ତି। ଖବର ପାଇ ଏକାଧିକ ଦମକଳ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ଆସି ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ପୂରା ବଗିରେ ନିଆଁ ଲାଗି ସାରିଥିଲା। ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ଏଥିସହ ଏହାକୁ ଅଲଗା ବଗିକୁ ବ୍ୟାପିବାକୁ ଦେଇ ନଥିଲେ। ଫଳରେ ବଡ଼ ଅଘଟଣ ଟଳି ଯାଇଥିଲା। ପୁଲିସ୍ କହିଛି ଯେ ଶେଷ ବଗିଟି ନିଆଁରେ ପୋଡ଼ି ଯାଇଛି। କିନ୍ତୁ ବାକି ବଗି ଗୁଡ଼ିକ ସୁରକ୍ଷିତ ରହିଛି। ସେହିପରି ନିଆଁ କେମିତି ଲାଗିଲା, ତା’ର ତଦନ୍ତ ରେଳବାଇ ଓ ପୁଲିସ୍ କରୁଥିବା ଜଣାପଡ଼ିଛି।
ଅଧିକ ପଢ଼ନ୍ତୁ : ସେପ୍ଟେମ୍ବର ୧୭ରୁ ଲାଗୁ ହେବ ବିଶ୍ୱକର୍ମା ଯୋଜନା