ଦୂରଦର୍ଶନର ପ୍ରସିଦ୍ଧ ନ୍ୟୁଜ ଆଙ୍କର ଗୀତାଞ୍ଜଳି ଆୟରଙ୍କ ୭୧ ବର୍ଷ ବୟସରେ ପରଲୋକ। ଗତକାଲି ସନ୍ଧ୍ଯା ଭ୍ରମଣ କରି ଘରକୁ ଫେରିବା ପରେ ହଠାତ୍ ସେ ଅସୁସ୍ଥ ହୋଇପଡିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଥିବା ବେଳେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।
୧୯୭୧ ମସିହାରେ ଗୀତାଞ୍ଜଳି ଆୟର ଦୂରଦର୍ଶନରେ କାମ ଆରମ୍ଭ କରିଥିଲେ। ଇଂରାଜୀ ଭାଷାରେ ନ୍ୟୁଜ ଆଙ୍କର ଭାବେ ସେ ଭାରତରେ ବେଶ ପରିଚିତ। ଦୂରଦର୍ଶନରେ ସେ ୩୦ ବର୍ଷ ଧରି କାମ କରିଛନ୍ତି । ନିଜ କ୍ୟାରିଅରରେ ସେ ୪ଥର ସର୍ବଶ୍ରେଷ୍ଠ ନ୍ୟୁଜ ଆଙ୍କର ପୁରସ୍କାର ପାଇଛନ୍ତି।
କୋଲକାତାର ଲୋରେଟୋ କଲେଜରୁ ସ୍ନାତକ କରିବା ପରେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରେ ସେ ଡିପ୍ଲୋମା ସାରି ସେ ଅଲ ଇଣ୍ଡିଆ ରେଡିଓରେ କାମ କରିଥିଲେ । ପରେ ଦୂରଦର୍ଶନରେ ସେ ଇଂରାଜୀ ଭାଷାର ନ୍ୟୁଜ୍ ଆଙ୍କର ଭାବେ କାମ କରିଥିଲେ। ଗୀତାଞ୍ଜଳି ଆୟରଙ୍କ ଦେହାନ୍ତରେ ଗଭୀର ସମବେଦନା ଜଣାଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ।
ଗୀତାଞ୍ଜଳିଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ଖେଳି ଯାଇଛି। ଗୀତାଞ୍ଜଳି ଆୟରଙ୍କୁ ଟିଭି ପରଦାରେ ଦେଖିଦେଲେ ନ୍ୟୁଜ ପ୍ରତି ଆଗ୍ରହ ସୃଷ୍ଟି ହେଉଥିଲା। ହଠାତ୍ ତାଙ୍କ ମୃତ୍ୟୁ ଖବର ଶୁଣି ଗଭୀର ଦୁଃଖିତ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ଲିଡର ନୀତା ଡି’ସୁଜା ।
ଗୀତାଞ୍ଜଳିଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି। ତାଙ୍କ ଝିଅ ପଲ୍ଲବୀ ଆୟାର ମଧ୍ୟ ଜଣେ ବେଶ୍ ଜଣାଶୁଣା ନ୍ୟୁଜ ଆଙ୍କର ।