ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବିଭିନ୍ନ ଅଞ୍ଚଳର ନଅଟି ପ୍ରମୁଖ ସ୍କୁଲକୁ ସୋମବାର ସକାଳେ ବୋମାମାଡ଼ ଧମକ ମିଳିବା ପରେ ଆତଙ୍କ ଖେଳିଯାଇଛି। ଏହି ଧମକପୂର୍ଣ୍ଣ କଲ୍ ସକାଳ ୮ଟା ୩୦ରୁ ୯ଟା ମଧ୍ୟରେ ଆସିଥିଲା। ଫଳରେ ସ୍କୁଲ ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକୁ ତୁରନ୍ତ ସତର୍କ ରହିବାକୁ ବାଧ୍ୟ କରିଥିଲା। ସୂଚନା ପାଇବା ପରେ ସ୍କୁଲଗୁଡ଼ିକ ତୁରନ୍ତ ଦିଲ୍ଲୀ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ, ଅଗ୍ନିଶମ ବାହିନୀ ଏବଂ ବମ୍ ସ୍କ୍ୱାଡ୍ ଦଳ ଘଟଣାସ୍ଥଳରେ ପହଞ୍ଚି ସ୍କୁଲ ପରିସରରେ ପୁଙ୍ଖାନୁପୁଙ୍ଖ ତଲାସୀ ଆରମ୍ଭ କରିଥିଲେ।
ଏହି ଧମକକୁ ଗମ୍ଭୀରତାର ସହ ନେଇ ଅନେକ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀଗୃହରୁ ବାହାର କରି ନିରାପଦ ସ୍ଥାନକୁ ନିଆଯାଇଥିଲା। କିଛି ସ୍କୁଲ ଛୁଟି ଘୋଷଣା କରିଥିଲା। ଅଭିଭାବକମାନଙ୍କୁ ମଧ୍ୟ ତୁରନ୍ତ ସୂଚନା ଦିଆଯାଇଥିଲା। ପ୍ରାଥମିକ ତଦନ୍ତରେ ଏପର୍ଯ୍ୟନ୍ତ କୌଣସି ସ୍କୁଲ ପରିସରରୁ କୌଣସି ସନ୍ଦିଗ୍ଧ ବସ୍ତୁ କିମ୍ବା ବିସ୍ଫୋରକ ପଦାର୍ଥ ମିଳିନାହିଁ। କିନ୍ତୁ ପୋଲିସ ଏହି କଲ୍କୁ ହାଲୁକା ଭାବରେ ନେଉନାହିଁ ଏବଂ ପ୍ରତ୍ୟେକ ଦୃଷ୍ଟିକୋଣରୁ ତଦନ୍ତ କରୁଛି।
ଦିଲ୍ଲୀ ପୋଲିସ ଅନୁଯାୟୀ ଧମକପୂର୍ଣ୍ଣ କଲ୍ର ଉତ୍ସ ଏବଂ କଲରଙ୍କ ସ୍ଥାନ ଖୋଜିବା ପାଇଁ ପ୍ରୟାସ ଚାଲିଛି। ସାଇବର ୟୁନିଟ୍ ଏବଂ ବୈଷୟିକ ଦଳ ମଧ୍ୟ ତଦନ୍ତରେ ସାମିଲ ହୋଇଛନ୍ତି।
ଉଲ୍ଲେଖନୀୟ ଯେ ପୂର୍ବରୁ ଦିଲ୍ଲୀ ଏବଂ ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକରେ ସ୍କୁଲ ଏବଂ ସରକାରୀ କୋଠାଗୁଡ଼ିକୁ ବୋମା ମାଡ଼ କରିବାର ମିଥ୍ୟା ଧମକ ମିଳିଥିଲା, ଯାହାର ଉଦ୍ଦେଶ୍ୟ ଥିଲା ଆତଙ୍କ ପ୍ରସାର କରିବା। ଦିଲ୍ଲୀ ପୋଲିସ ସମସ୍ତ ପ୍ରଭାବିତ ସ୍କୁଲର ପରିସ୍ଥିତି ନିୟନ୍ତ୍ରଣରେ ଥିବା ସୂଚନା ଦେଇ ଗୁଜବକୁ ଅଣଦେଖା କରିବାକୁ ଅଭିଭାବକ ଏବଂ ଜନସାଧାରଣଙ୍କୁ ନିବେଦନ କରିଛି।
ଅଧିକ ପଢ଼ନ୍ତୁ: ଇରାନରେ ନୋବେଲ ଶାନ୍ତି ପୁରସ୍କାର ବିଜେତାଙ୍କୁ ଜେଲଦଣ୍ଡ