ନୂଆଦିଲ୍ଲୀ, ଅକ୍ଟୋବର ୦୩ (ଖବର ଓଡ଼ିଶା): ପଂଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲା ହତ୍ୟା ଘଟଣା ମନରୁ ଲିଭି ନ ଥିବା ବେଳେ ପୁଣି ଜଣେ ଗାୟକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଶନିବାର ସନ୍ଧ୍ୟାରେ ପଂଜାବୀ ଗାୟକ ଅଲଫାଜଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି । ତାଙ୍କୁ ଫୋର୍ଟିସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାପର ହନୀ ସିଂହ ଏହି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଏଥି ସହିତ ସେ ସାମାଜିକ ଗଣମାଧ୍ୟମରେ ଫଟୋ ସେୟାର କରିଛନ୍ତି ।
ହନୀ ସିଂହ ଅଲଫାଜଙ୍କ ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଫଟୋରେ ଦେଖାଯାଉଛି ଯେ, ଗାୟକ ହସ୍ପିଟାଲରେ ବେଡରେ ଶୋଇଛନ୍ତି । ତାଙ୍କର ମୁଣ୍ଡରେ ଆଘାତ ଲାଗିଛି । ହାତରେ ସାମାନ୍ୟ ଆଘତ ଲାଗିଛି । ଫଟୋରୁ ଯାହା ଜଣାପଡୁଛି ଅଲଫାଜଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଖରାପ ଅଛି । ହନୀ ଏକ କ୍ୟାପଶେନରେ ଲେଖିଛନ୍ତି ଗତ ରାତି (ଶନିବାର) ମୋର ଭାଇ ଅଲଫାଜଙ୍କ ଉପରେ କେହି ଜଣେ ଆକ୍ରମଣ କରିଛି । ଯିଏ ବି ଏହି ଯୋଜନା କରିଛି, ତାକୁ ଛାଡ଼ିବି ନାହିଁ । ଆପଣ ଦୟାକରି ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ ।