ନୂଆଦିଲ୍ଲୀ: ଏଲଏସିର ବିବାଦୀୟ ସ୍ଥାନରୁ ପଛକୁ ହଟିଛନ୍ତି ଭାରତ ଏବଂ ଚୀନ ସେନା । ଏଣିକି ଦୁଇ ଦେଶର ସେନା ନିଜର ପରମ୍ପାରିକ ଶିବିରରେ ମୁତୟନ ରହିବେ। ସେନା ସୂତ୍ର ଅନୁସାରେ ଏବେ ସୀମାରେ ନିୟମିତ ପାଟ୍ରୋଲିଂ ହେବ, ଯାହା ୨୦୨୦ରେ ହେଉଥିଲା। ଏହି ପଦକ୍ଷେପ ଦୁଇ ଦେଶ ମଧ୍ୟରେ ବିବାଦର ସମାଧାନ ରୂପେ ଦେଖାଯାଉଛି । ଏହାର ପ୍ରଭାବରେ ଦୁଇ ଦେଶର ସେନା ଗୁରୁବାର ଦୀପାବଳି ଅବସରରେ ପରସ୍ପରକୁ ମିଠା ବାଣ୍ଟିବେ ।
ସେନା ସୂତ୍ର ଅନୁସାରେ ପୂର୍ବ ଲଦାଖରେ ଡେପସାଙ୍ଗ ଏବଂ ଡୋମଚେକରୁ ଦେଇ ଦେଶର ସେନା ପଛକୁ ହଟିଛନ୍ତି । ଦୁଇ ଦେଶ ମଧ୍ୟରେ କମାଣ୍ଡର ସ୍ତରୀୟ ଆଲୋଚନା ଆଗକୁ ମଧ୍ୟ ଜାରି ରହିଛି । ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଥମିଛି ଏବଂ ୨୦୨୦ ପୂର୍ବ ସ୍ଥିତିରେ ଦୁଇ ଦେଶର ଶିବିର ରହିବ । ଭବିଷ୍ୟତରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧୁରିପାରେ । ସୂଚନାଯୋଗ୍ୟ, ଭାରତ ୨୦୨୦ ସଂଘର୍ଷ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚୀନ କମ୍ପାନିଗୁଡ଼ିକ ଉପରେ କଟକଣା ଲଗାଇଥିଲା । ଏହା ବ୍ୟତୀତ ଚୀନ ସାମଗ୍ରୀ ଆମଦାନୀ କମାଇବା ସହ ଅନେକ ସେକ୍ଟରରେ ନିବେଶକୁ କଡାକଡି କରିଥିଲା ।
୨୦୨୦ ଏପ୍ରିଲରେ ଚୀନ ସେନା ପୂର୍ବ ଲଦାଖରେ ଅନୁପ୍ରବେଶ ଉଦ୍ୟମ କରିଥିଲେ । ଭାରତୀୟ ସେନା କଡ଼ା ବିରୋଧ କରିବା ପରେ ଗଲୱାନରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ ଭାରତୀୟ ସେନାର ୨୦ ଯବାନ ସହିଦ ହୋଇଥିବା ବେଳେ ବହୁ ଚୀନ ସୈନିକଙ୍କ ମୃତ୍ୟୁ ହୋଇଥିଲା । ଚୀନ ସେନା ଶୁକ୍ରବାର ଏକ ବୟାନରେ କହିଥିଲା ଯେ ଏବେ ଦୁଇ ଦେଶ ସୀମାରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଉପରେ କାମ କରୁଛନ୍ତି ।