ନୂଆଦିଲ୍ଲୀ: ଜେଇଇ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ବଡ ଆଶ୍ୱସ୍ତି । ସୁପ୍ରିମକୋର୍ଟ ସେହି ଛାତ୍ର-ଛାତ୍ରୀଙ୍କୁ ଜେଇଇ ଆଡଭାନ୍ସରେ ତୃତୀୟ ଥର ପରୀକ୍ଷା ଦେବାକୁ ଅନୁମତି ଦେଇଛନ୍ତି, ଯେଉଁମାନେ ୨୦୨୪ ନଭେମ୍ବର ୫ରୁ ୧୮ ତାରିଖ ମଧ୍ୟରେ ପରୀକ୍ଷା ପ୍ରସ୍ତୁତି ପାଇଁ ନିଜର ଇଞ୍ଜିନିୟରିଂ ଛାଡି ଦେଇଥିଲେ । ଅଦାଲତ ଜଏଣ୍ଟ ଆଡମିଶନ ବୋର୍ଡ(ଜେଏବି)କୁ ଉକ୍ତ ଛାତ୍ରମାନଙ୍କୁ ୨୦୨୫ ପରୀକ୍ଷାରେ ବସିବା ପାଇଁ ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଜେଇଇ ଆଡଭାନ୍ସ ଆଟେମ୍ପ୍ଟ ସଂଖ୍ୟା ୩ ରୁ ହ୍ରାସ କରାଯାଇ ଦୁଇ ଥର କରିବା ପାଇଁ ଜେଏବି ଦେଇଥିବା ନିଷ୍ପତ୍ତି ବିରୋଧରେ ଦାୟର ଯାଚିକା ଉପରେ ଶୁଣାଣି କରିଛନ୍ତି । କିନ୍ତୁ କୋର୍ଟ ସମସ୍ତ ଛାତ୍ରଙ୍କ ପାଇଁ ଆଟେମ୍ପ୍ଟ ସଂଖ୍ୟା ୩ରୁ ହ୍ରାସ କରାଯାଇ ଦୁଇ କରିବା ବୋର୍ଡର ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି । ବିଚାରପତି ବିଆର ଗବଇ ଓ ବିଚାରପତି ଅଗଷ୍ଟିନ ଜର୍ଜଙ୍କ ଖଣ୍ଡପୀଠ ମାମଲା ଉପରେ ଶୁଣାଣି କରି ଉପରୋକ୍ତ ନିଷ୍ପତ୍ତି ଦେଇଛନ୍ତି ।
ସୂଚନାଯୋଗ୍ୟ, ଜେଏବି ଗତ ନଭେମ୍ବର ୫ରେ ନୋଟିସ୍ ଜାରି କରି ଜେଇଇ ଆଡଭାନ୍ସରେ ଆଟେମ୍ପଟ ସଂଖ୍ୟା ଦୁଇରୁ ତିନି ବୃଦ୍ଧି କରିବାକୁ ଘୋଷଣା କରିଥିଲା । କିନ୍ତୁ ଦୁଇ ସପ୍ତାହ ପରେ ବୋର୍ଡ ପୁଣି ଥରେ ନିଜର ନିଷ୍ପତ୍ତି ବଦଳାଇଥିଲା । ବୋର୍ଡର ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ୨୨ ଛାତ୍ର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜେଇଇ ଆଡଭାନ୍ସରେ ଆଟେମ୍ପ୍ଟ ସଂଖ୍ୟା ୨ରୁ ବଢାଯାଇ ତିନି କରିବାକୁ ଦାବି କରିଥିଲେ ।