ଆଜିକୁ ଉତ୍ତରାଖଣ୍ଡ ଟନେଲ ଟ୍ରାଜେଡିକୁ ଅନେକ ଦିନ ବିତିଗଲାଣି । ଗତ ରବିବାରରୁ ଟନେଲ ଭିତରେ ଫସି ରହିଛନ୍ତି ୪୦ ଶ୍ରମିକ । ଏପର୍ଯ୍ୟନ୍ତ ଅକ୍ଲାନ୍ତ ପରିଶ୍ରମ ଓ ଚେଷ୍ଟା ସତ୍ୱେ ଶ୍ରମିକମାନଙ୍କୁ ଉଦ୍ଧାର କରା ଯାଇପାରିନାହିଁ । ତେବେ ସେଠାରେ ଶ୍ରମିକମାନେ କିପରି ଜୀବନ ଜାପନ କରୁଛନ୍ତି ତାହା ଜାଣିବା ପାଇଁ ସୋସିଆଲ ମିଡ଼ିଆରେ ଏକ ସିସିଟିଭି ଫୁଟେଜ ଭାଇରାଲ ହେବାରେ ଲାଗିଛି । ଟନେଲ ଭିତରର ଦୃଶ୍ୟ କଏଦ କରିଛି ପାଇପ ଜରିଆରେ ପଠାଯାଇଥିବା ସିସିଟିଭି କ୍ୟାମେରା । ତେବେ ସମସ୍ତେ ସେଠାରେ ସୁରକ୍ଷିତ ଓ ସୁସ୍ଥ ଅଛନ୍ତି ବୋଲି ଭିଡିଓରେ ଦେଖିବାକୁ ମିଳିଛି । ଏଥିସହ ଓ୍ବାକିଟକି ମାଧ୍ୟମରେ ସେମାନଙ୍କ ସହ କଥା ହୋଇଛନ୍ତି ଉଦ୍ଧାରକାରୀ ଟିମ୍ । ଏହାସହ ଗତକାଲି ରାତିରେ ପାଇପ ଜରିଆରେ ଶ୍ରମିକ ମାନଙ୍କ ପାଖକୁ ବୋତଲରେ ଖେଚୁଡ଼ି,ଡାଲି ଏବଂ ପାଣି ପଠାଯାଇଛି ।
ସୂଚନା ଅନୁଯାୟୀ, ଖେଚୁଡ଼ି ଓ ଡାଲି ସହ ଶ୍ରମିକମାନଙ୍କ ପାଖକୁ କମଳା, ସେଉ ଏବଂ ଲେମ୍ବୁ ରସ ସହ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ, ମୋବାଇଲ ଏବଂ ଚାର୍ଜର ମଧ୍ୟ ପଠାଯାଇଛି । ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବା ପାଇଁ ଅପରେସନ ଜୋରଦାର ରହିଛି । ତେବେ ପ୍ରଥମ ସିସିଟିଭି ଫୁଟେଜ ଦେଖି ସମ୍ପୂର୍ଣ୍ଣ ଦେଶବାସୀଙ୍କୁ ସାନ୍ତ୍ୱନା ମିଳିଛି । ବର୍ତ୍ତମାନ ଏହି ସୁଡ଼ଙ୍ଗ ଭିତରକୁ ଯିବା ପାଇଁ ଏକ ପୃଥକ ସୁଡ଼ଙ୍ଗ ତିଆରି କରାଯାଉଛି । ଏବେ ୫ ସୂତ୍ରୀ ଯୋଜନାରେ ଏହି ରେସ୍କ୍ୟୁ ଅପରେସନ ଚାଲିଛି । ଏହାଦ୍ୱାରା ସେମାନଙ୍କ ମନୋବଳ ବୃଦ୍ଧି ପାଇବା ସହ ବାହାରକୁ ଆସିବାର ଆଶା ମଧ୍ୟ ଉଜ୍ଜୀବୀତ ହୋଇଛି।