ବର୍ତ୍ତମାନ ସମୟରେ ଆମ ଘରେ ଛୋଟ ଛୁଆ ଟିଏ ହେଲେ ଆମେ ଘର ଖାଦ୍ୟ ଅପେକ୍ଷା ବଜାରରେ ମିଳୁଥିବା ପ୍ୟାକେଟ ଖାଦ୍ୟକୁ ଅଧିକ ଗୁରୁତ୍ବ ଦେଇଥାଉ। ବଜାରରେ ମିଳୁଥିବା ବେବି ଫୁଡ୍ ପ୍ରଡକ୍ଟ ସବୁ ବାପା-ମାଆଙ୍କର ଏବେ ପସନ୍ଦ ଯୋଗ୍ୟହୋଇଛି। ହେଲେ ଏହାଯେ କେତେ କ୍ଷତିକାରକ ତାହା କେହି କେବେ ବୁଝନ୍ତି ନାହିଁ।
୨୦୧୫ ମସିହାରେ ୨ ମିନିଟରେ ତିଆରି ହେଉଥିବା ମ୍ୟାଗି ନୁଡୁଲ୍ସରେ ବିଷାକ୍ତ ‘ଲିଡ୍’ ଓ ‘ଏମଏସଜି’ ରହିଥିବା ପ୍ରମାଣ ମିଳିବା ପରେ ସ୍ବିଜରଲ୍ୟାଣ୍ଡର କମ୍ପାନୀ ନେସ୍ଲେ ବିବାଦ ଘେରକୁ ଆସିଥିବା ବେଳେ ଏବେ ପୁଣିଥରେ ତାର ବେବି ଫୁଡ୍ ପ୍ରଡକ୍ଟକୁ ନେଇ ବିବାଦ ଘେରକୁ ଆସିଛି ନେସ୍ଲେ। ସ୍ବିଜରଲ୍ୟାଣ୍ଡର କମ୍ପାନୀଗୁଡିକ ଉପରେ ନଜର ରଖୁଥିବା ୱେବସାଇଟ୍ ‘ପବ୍ଲିକ୍ ଆଇ’ ଏହାର ଅନୁସନ୍ଧାନ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛି। ଅନୁସନ୍ଧାନ ପରେ ଜଣାପଡିଛି ଯେ ଭାରତରେ ବିକ୍ରି ହେଉଥିବା ଶିଶୁ ଉତ୍ପାଦରେ ‘ନେସ୍ଲେ’ ଅତ୍ୟଧିକ ପରିମାଣର ଚିନି ବ୍ୟବହାର କରୁଛି। କମ୍ପାନୀ ଭାରତରେ ବିକ୍ରି ହେଉଥିବା ଶିଶୁ ଉତ୍ପାଦରେ ଅଧିକ ଚିନି ବ୍ୟବହାର କରିଥାଏ, ଯେତେବେଳେ ସମାନ ଉତ୍ପାଦ ୟୁରୋପ, ବ୍ରିଟେନ ଏବଂ ଜର୍ମାନୀ ଭଳି ବିକଶିତ ଦେଶରେ ଚିନି ବିନା ବିକ୍ରି ହୁଏ । ଭାରତ ପ୍ରତି କମ୍ପାନୀର ଭେଦଭାବପୂର୍ଣ୍ଣ ମନୋଭାବ ଏବେ ଏହାର ସମସ୍ୟା ବଢାଇ ଦେଇଛି। ଅନୁସନ୍ଧାନରୁ ଜଣାପଡିଛି ଯେ ଭାରତରେ ମିଳୁଥିବା ୧୫ ଟି ଯାକ ସେରେଲାକରେ ହାରାହାରି ୩ ଗ୍ରାମ ଚିନି ରହିଥାଏ। ସମାନ ଉତ୍ପାଦ ଜର୍ମାନୀ ଏବଂ ବ୍ରିଟେନରେ ବିନା ଚିନିରେ ମିଳୁଛି। ଯଦି FSSAI ଦ୍ୱାରା ଅନୁସନ୍ଧାନରେ କମ୍ପାନୀ ଦୋଷୀ ସାବ୍ୟସ୍ତ ହୁଏ, ତେବେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ଜଣାପଡିଛି।
ତେବେ, ନେସ୍ଲେ ଇଣ୍ଡିଆ ଲିମିଟେଡର ମୁଖପାତ୍ର କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ କମ୍ପାନୀ ଏହାର ଶିଶୁ ଖାଦ୍ୟ ସାମଗ୍ରୀରେ ଶର୍କରା ପରିମାଣକୁ ୩୦ ହ୍ରାସ କରିଛି ଏବଂ ସେଗୁଡିକୁ ହ୍ରାସ କରିବା ପାଇଁ ଉତ୍ପାଦଗୁଡିକର “ସମୀକ୍ଷା” ଜାରି ରଖିଛି। ଆଉ ଏକ ବିବୃତ୍ତିରେ କୁହାଯାଇଛି ଯେ ଶିଶୁମାନଙ୍କ ପାଇଁ ଉତ୍ପାଦରେ ପୁଷ୍ଟିକର ଗୁଣରେ କମ୍ପାନୀ ବିଶ୍ବାସ କରେ ଏବଂ ଉଚ୍ଚମାନର ଉପାଦାନ ବ୍ୟବହାରକୁ ପ୍ରାଥମିକତା ଦେଇଥାଏ।
ଅଧିକ ପଢ଼ନ୍ତୁ : ଡିସିପିଙ୍କ କଡ଼ା ଚେତାବନୀ