ନୂଆଦିଲ୍ଲୀ: ବାଂଲାଦେଶରେ କ୍ଷମତା ବଦଳିବାର ଅନେକ ମାସ ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ଵାଧୀନ ଅନ୍ତରୀଣ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ତାଙ୍କ ଦେଶରେ ପ୍ରତ୍ୟର୍ପଣ କରିବାକୁ ଭାରତ ସରକାରଙ୍କୁ ଦାବି କରିଛି। ଏଥିପାଇଁ ବାଂଲାଦେଶ ଭାରତ ସରକାରଙ୍କୁ ଚିଠି ଲେଖି ଏହି ଦାବ କରିଛି। ଆଉ ଭାରତ ସରକାର ଏହା ଉପରେପ୍ରତିକ୍ରିୟା ଦେଇ କହିଛନ୍ତି ଯେ ‘ନୋ କମେଣ୍ଟ’।
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ଵାଲ କହିଛନ୍ତି ଯେ, ବର୍ତ୍ତମାନ ନୂଆଦିଲ୍ଲୀ ପାଖରେ ଏହି ମାମଲାରେ କୌଣସି ଟିପ୍ପଣୀ ନାହିଁ। ସେ କହିଛନ୍ତି, ଆଜି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ସହିନାଙ୍କ ପ୍ରତ୍ୟର୍ପଣ ଅନୁରୋଧ ସଂପର୍କରେ ବାଂଲାଦେଶ ଉଚ୍ଚାୟୋଗଙ୍କଠୁ ଏକ ଚିଠି ମିଳିଛି। ବର୍ତ୍ତମାନ ଆମ ପାଖରେ ଏହି ପ୍ରସଙ୍ଗରେ କୌଣସି ଟିପ୍ପଣୀ ଦେଇ ପାରିବୁ ନାହିଁ ।
ଶେଖ ସହିନା ଚଳିତ ବର୍ଷ ଅଗଷ୍ଟ ୫ ତାରିଖରେ ବାଂଲାଦେଶରେ ଭୀଷଣ ହିଂସାକାଣ୍ଡ ସମୟରେ ଦେଶ ଛାଡ଼ି ଭାରତ ପଳାଇ ଆସିଥିଲେ। ହିଂସା ଓ ମୃତ୍ୟୁ ମାମଲାକୁ ନେଇ ଶେଖ ହସିନାଙ୍କ ବିରୋଧରେ ବାଂଲାଦେଶରେ ଅନେକ ମାମଲା ରୁଜୁ ହୋଇଛି। ତାଙ୍କ ବିରୋଧରେ ବିଚାର ବିଭାଗୀୟ ତଦନ୍ତ ମଧ୍ୟ ଚାଲିଛି । ଶେଖ ହସିନାଙ୍କ ପରେ ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ଵରେ ବାଂଲାଦୈଶରେ ଅନ୍ତରୀଣ ସରକାର ଚାଲିଛି। ଏହା ପରେ ବାଂଲାଦେଶରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ବଢି ଚାଲିଛି। ଏହି କାରଣରୁ ଭାରତ ଓ ବାଂଲାଦେଶ ମଧ୍ୟରେ ସଂପର୍କ ବିଗିଡ଼ିବାରେ ଲାଗିଛି।
ଭାରତ ଓ ବାଂଲାଦେଶ ସରକାର ମଧ୍ୟରେ ୨୦୧୩ରେ ପ୍ରତ୍ୟର୍ପଣକୁ ନେଇ ଚୁକ୍ତି ହୋଇଥିଲା। ଏହା ଅନୁଯାୟୀ, ଅଭିଯୁକ୍ତ କିମ୍ବା ପଳାତକଙ୍କୁ ପରସ୍ପର ଦେଶକୁ ପ୍ରତ୍ୟର୍ପଣ କରାଯିବ। ବାଂଲାଦେଶ ସରକାର କହିଛନ୍ତି, ଏହି ଚୁକ୍ତି ଆଧାରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ଆମେ ଦାବି କରିଛୁ। ତେବେ ଏହି ପ୍ରତ୍ୟର୍ପଣ ସନ୍ଧିର ଗୋଟିଏ ଧାରାରେ ଏହା ଉଲ୍ଲେଖ ରହିଛି ଯେ, ପ୍ରତ୍ୟର୍ପିତ ହେବାକୁ ଥିବା ବ୍ୟକ୍ତିଙ୍କ ବିରୋଧରେ ଲଗାଯାଇଥିବା ଅଭିଯୋଗ ଯଦି ରାଜନୈତିକ ପ୍ରକୃତିର ହୋଇଥିବ ତେବେ ପ୍ରତ୍ୟର୍ପଣ ଅନୁରୋଧ ଖାରଜ କରାଯିବ। ଏବେ ଦେଖିବାକୁ ବାକି ରହିଲା ଭାରତର ପରବର୍ତ୍ତୀ ପଦକ୍ଷେପ କଣ ହେଉଛି ।