ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ‘ନୋ ଡିଟେନସନ୍ ପଲିସି’କୁ ଉଚ୍ଛେଦକୁ ନେଇ ବହୁଦିନ ହେବା ଚାଲିଥିବା ଆଲୋଚନାରେ ସୋମବାର ପୂର୍ଣ୍ଣଚ୍ଛେଦ ପକାଇଛି । ଶିକ୍ଷା ମନ୍ତ୍ରଣାଳୟ ଶିକ୍ଷା କ୍ଷେତ୍ରରେ ଏକ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଶିକ୍ଷାର ଗୁଣାବତ୍ତା ବୃଦ୍ଧି କରିବାକୁ ଏବେ କେନ୍ଦ୍ର ସରକାର ‘ନୋ ଡିଟେନସନ୍ ପଲିସି’କୁ ଉଚ୍ଛେଦ କରିଛନ୍ତି । ଏଣିକି ଛାତ୍ରଛାତ୍ରୀଙ୍କୁ ୫ମ ଏବଂ ୮ମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ ।
‘ନୋ ଡିଟେନସନ୍ ପଲିସି’କୁ ଉଚ୍ଛେଦ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ୫ମ ଏବଂ ୮ମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ । ଯେଉଁ ପିଲାମାନେ ପ୍ରଥମ ପ୍ରୟାସରେ ଅସଫଳ ବା ଫେଲ୍ ହେଉଛନ୍ତି ତେବେ ସେମାନଙ୍କୁ ମଧ୍ୟ ପୁନର୍ବାର ପରୀକ୍ଷା ଦେବାକୁ ସୁଯୋଗ ଦିଆଯିବ । ସେମାନେ ୨ ମାସ ମଧ୍ୟରେ ପୁଣି ଥରେ ପରୀକ୍ଷା ଦେଇପାରିବେ । ଯଦି ୨ୟ ଉଦ୍ୟମରେ ଅସଫଳ ହୁଅନ୍ତି ତେବେ ସେମାନଙ୍କୁ ଶ୍ରେଣୀ ପଦୋନ୍ନତି ବା କ୍ଲାସ୍ ପ୍ରମୋସନ୍ ମିଳିବ ନାହିଁ । କିନ୍ତୁ କୌଣସି ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀ ୮ମ ଶ୍ରେଣୀ ପର୍ୟ୍ୟନ୍ତ ବିଦ୍ୟାଳୟରୁ ବହିଷ୍କୃତ କରିପାରିବେ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।
ଛାତ୍ରଛାତ୍ରୀଙ୍କ ଶିକ୍ଷାର ଗୁଣାବତ୍ତାକୁ ବୃଦ୍ଧି କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଏହା ସହିତ ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ ସୁଧାର ଆସିବ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷାଗତ ପ୍ରଦର୍ଶନ ମଧ୍ୟ ବୃଦ୍ଧି କରିବାକୁ ‘ନୋ ଡିଟେନସନ୍ ପଲିସି’ଉଚ୍ଛେଦର ମୁଖ୍ୟ ଉଦ୍ଦେଶ୍ୟ ରହିଛି ।
କେନ୍ଦ୍ର ଶିକ୍ଷା ବିଭାଗ ସଚିବ ସଂଜୟ କୁମାର କହିଛନ୍ତି, ପିଲାଙ୍କ ପାଠପଢ଼ାରେ ସୁଧାର ଆଣିବା ଉଦ୍ଦେଶ୍ୟ ରହିଛି । ପିଲାଙ୍କ ଶିକ୍ଷାରେ ହେଉଥିବା ହ୍ରାସକୁ ରୋକିବାକୁ ଏହି ପଦକ୍ଷେପ ନେବା ଜରୁରୀ ହୋଇ ପଡ଼ିଛି । ମନ୍ତ୍ରଣାଳୟ ବିଶେଷ ଭାବେ ୫ମ ଏବଂ ୮ମ ଶ୍ରେଣୀ ଉପରେ ବିଶେଷ ଧ୍ୟାନ ଦେଇଛନ୍ତି, କାରଣ ଏହି ଦୁଇଟି ଶ୍ରେଣୀ ଶିକ୍ଷାର ମୂଳଦୂଆ ଅଟେ । ଏହି ପଦକ୍ଷେପ ଦ୍ୱାରା ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କୁ ଅଧିକ ଦାୟିତ୍ୱାବାନ କରିବାକୁ ଚେଷ୍ଟା କରାଯାଇଛି ।