ମୁମ୍ବାଇ : ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ପରଲୋକ।୯୦ ବର୍ଷ ବୟସରେ ବେନେଗଲଙ୍କ ପରଲୋକ ହୋଇଛି। ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ରହିଛି। ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ମୁମ୍ବାଇର ଏକ ଘରୋଇ ହସପିଟାଲରେ ଆଜି ସନ୍ଧ୍ଯା ୬.୩୦ ସମୟରେ ତାଙ୍କର ଦେହାନ୍ତ ହୋଇଛି।
ସମାନ୍ତରଳ ହିନ୍ଦୀ ସିନେମା ପାଇଁ ଶ୍ୟାମ ବେନେଗଲ ପରିଚିତ ଥିଲେ। ଅଙ୍କୁର, ନିଶାନ୍ତ, ମନ୍ଥନ, ଭୂମିକା, ମଣ୍ଡି ତାଙ୍କର ପ୍ରସିଦ୍ଧ ଚଳଚ୍ଚିତ୍ର ଅଟେ। ୧୮ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସହ ୨୦୦୭ରେ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ତାଙ୍କ ଅବଦାନ ପାଇଁ 'ଦାଦାସାହେବ ଫାଲକେ ସମ୍ମାନ ପ୍ରଦାନ କରାଯାଇଥିଲା । ସେ ଏକମାତ୍ର ଚଳଚ୍ଚିତ୍ର ନିର୍ଦ୍ଦେଶକ ଯିଏକି ପାଞ୍ଚଥର ଶ୍ରେଷ୍ଠ ହିନ୍ଦୀ ଫିଚର ଫିଲ୍ମ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ୧୯୭୬ରେ ଶ୍ୟାମଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା । ୧୯୯୧ ମସିହାରେ ଭାରତ ସରକାର କଳା କ୍ଷେତ୍ରରେ ଶ୍ୟାମ ବେନେଗାଲଙ୍କୁ ପଦ୍ମ ଭୂଷଣ ପ୍ରଦାନ କରିଥିଲେ ।
ଶ୍ୟାମ ବେନେଗଲ ୧୯୩୪ ମସିହା ୧୪ ଡିସେମ୍ବରରେ ତତ୍କାଳୀନ ଏକ ବ୍ରିଟିଶ କ୍ୟାଣ୍ଟନମେଣ୍ଟ, ତ୍ରିମୁଲଗେରିରେ ଜନ୍ମଗ୍ରହଣ କରିଥିଲେ । ୧୨ ବର୍ଷ ବୟସରେ ସେ ତାଙ୍କର ଫଟୋଗ୍ରାଫର ପିତା ଶ୍ରୀଧର ବି ବେନେଗଲ ଦେଇଥିବା କ୍ୟାମେରାରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ସେ ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ପରବର୍ତ୍ତୀ ସମୟରେ ସେ ସେଠାରେ ହାଇଦ୍ରାବାଦ ଫିଲ୍ମ ସୋସାଇଟି ଗଠନ କରିଥିଲେ।
୧୯୫୯ ମସିହାରେ, ସେ ମୁମ୍ବାଇର ଏକ ବିଜ୍ଞାପନ ଏଜେନ୍ସି 'ଲିଣ୍ଟାସ୍ ବିଜ୍ଞାପନ'ରେ କପି ରାଇଟର୍ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ଏହି ସମୟରେ, ବେନେଗାଲ ୧୯୬୨ ମସିହାରେ ଗୁଜରାଟୀ ଭାଷାରେ ଗେର୍ ବେଥା ଗଙ୍ଗା (ଡୋରଷ୍ଟେପ୍ରେ ଗଙ୍ଗା) ନାମକ ତାଙ୍କର ପ୍ରଥମ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।