ବାଲେଶ୍ୱର ବାହାନାଗା ଟ୍ରେନ ଦୁର୍ଘଟଣାକୁ ନେଇ ସାରା ଦେଶରେ ଖେଳିଯାଇଛି ଶୋକର ଛାୟା । ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ତଥା ଦେଶବିଦେଶର ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଥିବା ବେଳେ ଏବେ ଏହି ଘଟଣାକୁ ନେଇ ବଲିଉଡର କଳାକାରମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି l
ରେଳ ଦୁର୍ଘଟଣା ପାଇଁ ବଲିଉଡ୍ ଅଭିନେତା ସଲ୍ମାନ୍ ଖାଁ, ଅକ୍ଷୟ କୁମାର, ପରିଣୀତି ଚୋପ୍ରା ଓ ପ୍ରଖ୍ୟାତ୍ କ୍ରିକେଟ ଖେଳାଳି ବିରାଟ କୋହଲି ଶୋକପ୍ରକାଶ କରିଛନ୍ତି। ସଲମାନ ଖାନ୍ ଟ୍ୱିଟ୍ କରି ଲେଖିଛନ୍ତି, ଏହି ଦୁର୍ଘଟଣାକୁ ନେଇ ମୁଁ ଗଭିର ମର୍ମାହତ । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଆତ୍ମାକୁ ଇଶ୍ୱର ସଦଗତି ପ୍ରଦାନ କରନ୍ତୁ ଏବଂ ସେମାନଙ୍କ ପରିବାରକୁ ଧର୍ଯ୍ୟ ଓ ସାହସ ଦିଅନ୍ତୁ ।
ସେହିପରି, କ୍ରିକେଟ୍ ତାରକା ବିରାଟ କୋହଲି ଟୁଇଟ୍ କରି ଲେଖିଛନ୍ତି, ଓଡ଼ିଶାରେ ଘଟିଥିବା ଭୟାବହ ଟ୍ରେନ୍ ଦୁର୍ଘଟଣା କଥା ଶୁଣି ଦୁଃଖିତ। ପ୍ରିୟ ପରିଜନଙ୍କୁ ହରାଇଥିବା ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା। ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି।
ସେହିପରି ବଲିଉଡ୍ କଳାକାର ଅକ୍ଷୟ କୁମାର ଟ୍ୱିଟ୍ କରି ଲେଖିଛନ୍ତି, ଟ୍ରେନ୍ ଦୁର୍ଘଟଣାର ଦୃଶ୍ୟ ବାସ୍ତବିକ୍ ହୃହୟ ବିଦାରକ । ପ୍ରାଣ ହରାଇଥିବା ପ୍ରତ୍ୟେକଟି ଆତ୍ମାକୁ ଭଗବାନ ସଦଗତି ଦିଅନ୍ତୁ । ଏବଂ ଆହତ ହୋଇଥିବା ଯାତ୍ରୀଙ୍କର ଶୀଘ୍ର ଆରୋଗ୍ୟ ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି । ଏଭଳି ଜଟିଳ ସମୟରେ ମୃତକଙ୍କ ପରିବାରକୁ ସମବେଦନା ଜଣାଉଛି ।
ଅଭିନେତ୍ରୀ ପରିଣୀତି ଚୋପ୍ରା ମଧ୍ୟ ଏହି ଏହି ଟ୍ରେନ୍ ଦୁର୍ଘଟଣାରେ ଶୋକବ୍ୟକ୍ତ କରି ଟୁଇଟ୍ କରିଛନ୍ତି, ଓଡ଼ିଶାରେ ଘଟିଥିବା ଏହି ଭୟାବହ ଟ୍ରେନ୍ ଦୁର୍ଘଟଣାରେ ପ୍ରଭାବିତ ହୋଇଥିବା ସମସ୍ତଙ୍କ ପାଇଁ ମୋର ପ୍ରାର୍ଥନା। ସେମାନଙ୍କ ପରିବାରବର୍ଗ, ବନ୍ଧୁବର୍ଗ ଓ ପ୍ରିୟଜନ ସାମର୍ଥ୍ୟ ପାଆନ୍ତୁ ଏବଂ ଆହତ ଯଥାଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି କାମନା କରୁଛି। ଈଶ୍ବର ସମସ୍ତଙ୍କର ମଙ୍ଗଳ କରନ୍ତୁ।
ସଦ୍ୟତମ ସୂଚନା ଅନୁସାରେ, ବାଲେଶ୍ୱର ବାହାନଗା ଗ୍ରାମ ନିକଟରେ ଘଟିଥିବା ଏହି ରେଳ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୨୮୦ରେ ପହଞ୍ଚିଥିବା କଥା ଓଡ଼ିଶା ଅଗ୍ନିଶମ ବିଭାଗ ‘ଡିଜିପି’ ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଏହି ଭୟାନକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଘଟଣାସ୍ଥଳରେ ମୃତକଙ୍କ ପରିବାର ଲୋକେ ପହଞ୍ଚୁଛନ୍ତି। ଯେଉଁମାନେ ମୃତକଙ୍କୁ ଚିହ୍ନଟ କରୁଛନ୍ତି, ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଉଛି। ଟ୍ରେନ ଦୁର୍ଘଟଣା ହେବା ପର ଗତକାଲି ରାତି ଠାରୁ ଏବେ ଯାଏଁ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଏନଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିଶମବାହିନୀ ଦ୍ୱାରା ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସନ୍ଧାନୀ କୁକୁର ସହାୟତାରେ ଦୁର୍ଘଟଣାଗ୍ରସ୍ତ ଟ୍ରେନରୁ ମୃତାହତମାନଙ୍କୁ ବାହାର କରିବାକୁ ଚେଷ୍ଟା କରାଯାଉଛି। ଉଦ୍ଧାର କାର୍ଯ୍ୟ ସରିବାପରେ ଟ୍ରାକ୍ ମରାମତି କରାଯିବ। ଟ୍ରାକ୍ ମରାମତି ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି ରେଳ ମନ୍ତ୍ରୀ ଅଶ୍ୱି ବୈଷ୍ଣବ ସୂଚନା ଦେଇଛଦନ୍ତି। ଆଉ ଗୋଟିଏ ବଗିରୁ ଉଦ୍ଧାର କାର୍ଯ୍ୟ ବାକି ରହିଛି। ନିର୍ଦ୍ଦିଷ୍ଟ ଏକ ବଗି ମାଟିରେ ଧସି ହୋଇ ରହିଛି। ସଂପୃକ୍ତ ବଗିରୁ ଉଦ୍ଧାର କାର୍ଯ୍ୟ ଆଉ କିଛି ସମୟ ଲାଗିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।