ପାଟନା: ବିହାର ବିଧାନସଭା ନିର୍ବାଚନକୁ ନେଇ ପୂରା ରାଜ୍ୟରେ ରାଜନୈତିକ ଗତିବିଧି ଚଳଚଞ୍ଚଳ ହୋଇ ଉଠିଛି । ନିକଟରେ ସୁପ୍ରସିଦ୍ଧ ଗାୟିକା ମୈଥିଲୀ ଠାକୁର ବିଜେପି ନେତାଙ୍କ ସହ ସାକ୍ଷାତ ପରେ ଚର୍ଚ୍ଚା ଜୋର ଧରିଛି ଯେ, ବିଜେପି ମୈଥିଲୀଙ୍କୁ ମଧୁବନୀ କିମ୍ବା ଦରଭଙ୍ଗାର କୌଣସି ବିଧାନସଭା ସିଟରୁ ଟିକେଟ୍ ଦେଇପାରେ । ବିଜେପି ନେତାଙ୍କ ସହ ସାକ୍ଷାତ ପରେ ଲୋକଗାୟିକା ମୈଥିଲୀ ଠାକୁର ମଙ୍ଗଳବାର ନିଜର ଗୃହ କ୍ଷେତ୍ର ବେନିପଟ୍ଟିରୁ ବିଧାନସଭା ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।
ମୈଥିଲି କହିଛନ୍ତି, ତାଙ୍କର ଗୃହ କ୍ଷେତ୍ର ସହ ଭିନ୍ନ ଭାବନା ରହିଛି ଏବଂ ଯଦି ସେ ନିଜର ରାଜନୈତିକ ଇନିଂସର ଆରମ୍ଭ ଏଠାରୁ କରିବେ ତେବେ ବହୁତ କିଛି ଶିଖି ପାରିବେ । ମୈଥିଲୀ ଗତକାଲି ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ବିହାରର ସଂଗଠନ ପ୍ରଭାରୀ ବିନୋଦ ତାୱଡେ ଓ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଭେଟିଥିଲେ । ଏହା ପରଠୁ ତାଙ୍କର ନିର୍ବାଚନ ଲଢିବା ନେଇ କଳ୍ପନା ଜଳ୍ପନା କରାଯାଉଛି ।
ହୋଇପାରେ ମୈଥିଲୀ ଠାକୁର ବେନିପଟ୍ଟି(ମଧୁବନୀ)ରୁ ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରିଛନ୍ତି, ମାତ୍ର ଏଠାରୁ ବର୍ତ୍ତମାନର ବିଧାୟକ ବିନୋଦ ନାରାୟଣ ଝାଙ୍କ ଟିକେଟ୍ କାଟିବା ବିଜେପି ପାଇଁ ସହଜ ହେବନି । ଏମିତିରେ ଆକଳନ କରାଯାଉଛି ଯେ, ବିଜେପି ମୈଥିଲୀଙ୍କୁ ଦରଭଙ୍ଗା ଜିଲ୍ଲାର ଅଲିନଗର ବିଧାନସଭା ସିଟରୁ ଟିକେଟ୍ ଦେଇପାରେ । ଉଲ୍ଲେଖନୀୟ ବୋନିପଟ୍ଟିର ବିଧାୟକ ବିନୋଦ ନାରାୟଣ ଝା ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନ ସମୟରୁ ବିଜେପିରେ ରହି ଆସିଛନ୍ତି । ସେ ବିଜେପିର ଦିବଙ୍ଗତ ନେତା ସୁଶୀଳ ମୋଦୀଙ୍କ ଘନିଷ୍ଠ ମଧ୍ୟ ।
Also read: ଅଦାଲତ ଜନତାଙ୍କୁ ହଇରାଣ କରିବା ପାଇଁ ତିଆରି ହୋଇନି, ଏମିତି କାହିଁକି କହିଲେ ସୁପ୍ରିମକୋର୍ଟ