ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନିମ୍ନ ଅଦାଲତକୁ ଉପଦେଶ ଦେଇ କହିଛନ୍ତି ଯେ, ଏମିତି ଆଦେଶ ପାରିତ ନ କରନ୍ତୁ ଯେଉଁଥିରେ ଜନତାଙ୍କୁ ହଇରାଣ ହେବାକୁ ପଡିବ । ଜଷ୍ଟିସ ଦୀପାଙ୍କର ଦତ୍ତ ଓ ଜଷ୍ଟିସ କେଭି ବିଶ୍ୱନାଥନଙ୍କ ପୀଠ କହିଛନ୍ତି, କୋର୍ଟ ଏମିତି ନିଷ୍ପତ୍ତି ନ ଶୁଣାନ୍ତୁ ଯେଉଁଥିରେ ଆବେଦନକାରୀଙ୍କୁ ନ ଲାଗୁ ଯେ, ଅଦାଲତ ଆସି ସେ ଭୁଲ୍ କରି ଦେଲେ ।
ସୁପ୍ରିମକୋର୍ଟ କହିଛନ୍ତି, ଲୋକେ ନ୍ୟାୟ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୁଅନ୍ତି । ଅଦାଲଗୁଡିକୁ ଯାଚିକା ଦାୟର ଉପରେ ନିଷ୍ପତ୍ତି ଶୁଣାଇବା ଉଚିତ୍ । ଆବେଦନକାରୀଙ୍କୁ ଆଶ୍ୱସ୍ତି ଦିଆଯାଇ ପାରିବ କିମ୍ବା ପିଟିସନକୁ ଅଗ୍ରାହ୍ୟ କରାଯାଇ ପାରିବ । ଅନେକ ଥର କୋର୍ଟ ଆଶ୍ଚର୍ଯ୍ୟ କରିବା ଭଳି ରାୟ ଦିଅନ୍ତି । ଏମିତି ସ୍ଥିତିରେ ଜନତା ନିଜେ ଠକାମୀର ଶିକାର ହୋଇଥିବା ମନେ କରେ ଏବଂ ନିଜକୁ ଅପମାନିତ ଅନୂଭବ କରେ ।
କୋଚି ଦେବସ୍ୱମ ବୋର୍ଡ ଓ ଚିନ୍ମୟ ମିଶନ ଏଜୁକେଶନ ଆଣ୍ଡ କଲଚର ଟ୍ରଷ୍ଟ ମଧ୍ୟରେ ଜମିକୁ ନେଇ ଲାଇସେନ୍ସ ଫି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଉପରୋକ୍ତ ଟିପ୍ପଣୀ କରିଛନ୍ତି । ଖଣ୍ଡପୀଠ କେରଳ ହାଇକୋର୍ଟଙ୍କ ଦୁଇଟି ନିର୍ଦ୍ଦେଶକୁ ଖାରଜ କରିଛନ୍ତି । ୧୯୭୪ରେ ଟ୍ରଷ୍ଟକୁ ବିବାହ, ସାଂସ୍କୃତିକ ଓ ଧାର୍ମିିକ ଉଦ୍ଦେଶ୍ୟରେ ହଲ୍ ତିଆରି ପାଇଁ ୧୩.୫ ସେଣ୍ଟ ଜମି ଆବଣ୍ଟିତ କରାଯାଇଥିଲା । ସର୍ତ୍ତ ଏହା ଯେ, ଏହି ହଲ୍ ଦେବସ୍ୱମର କାର୍ଯ୍ୟକ୍ରମ ଏବଂ ଯାତ୍ରୀଙ୍କ ପାଇଁ ମାଗଣାରେ ଉପଲବ୍ଧ ରହିବ ।
୧୯୭୭ରେ ଏହି ଜମି ପାଇଁ ଲାଇସେନ୍ସ ଫି କେବଳ ୨୨୭ ଟଙ୍କା ନିର୍ଦ୍ଧାରିତ କରାଯାଇଥିଲା । ୨୦୧୪ରେ ଏହି ଫିକୁ ବଢାଯାଇ ଲକ୍ଷେ ୫ ହଜାର ଟଙ୍କା ବାର୍ଷିକ କରାଯାଇଛି । ଏହା ବ୍ୟତୀତ ଟ୍ରଷ୍ଟଠୁ ୨୦ ଲକ୍ଷ ଟଙ୍କାର ଏରିୟର ଫି ମଗାଯାଇଛି । ଏଥିରୁ ଆଶ୍ୱସ୍ତି ପାଇବା ପାଇଁ ଟ୍ରଷ୍ଟ କେରଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ବର୍ଦ୍ଧିତ ଫିକୁ ଉଚିତ୍ ଦର୍ଶାଇ ବୋର୍ଡକୁ ଫି ନିର୍ଦ୍ଧାରିତ କରିବାକୁ କହିଥିଲା । ଏହା ସହ କୋର୍ଟ ଜମି ଆବଣ୍ଟନକୁ ନେଇ ଭିଜିଲାନ୍ସ ତଦନ୍ତ ଆଦେଶ ଦେଇଥିଲେ । ଏହା ପରେ ଟ୍ରଷ୍ଟ ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।
ଟ୍ରଷ୍ଟ ନିଜ ଯାଚିକାରେ କହିଛନ୍ତି ଯେ, ହାଇକୋର୍ଟ ପରିଧି ବାହାରେ ହିଁ ନିଷ୍ପତ୍ତି ଶୁଣାଇଛନ୍ତି । ସୁପ୍ରିମକୋର୍ଟ ଟ୍ରଷ୍ଟକୁ ଆଶ୍ୱସ୍ତି ଦେଇ ହାଇକୋର୍ଟଙ୍କ ଦୁଇ ନିଷ୍ପତ୍ତିକୁ ଖାରଜ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ହାଇକୋର୍ଟଙ୍କୁ ଲାଇସେନ୍ସ ଫିର ପୁନଳନିର୍ଦ୍ଧାରଣ ଓ ଯାଞ୍ଚ ଆଦେଶ ଦେବା ଉଚିତ୍ ନ ଥିଲା । ହାଇକୋର୍ଟଙ୍କ ଏମିତି ରାୟ ବାସ୍ତବରେ ଚକିତକର ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।
Also read: 'ଅବୈଧ ଭାବେ ରହୁଥିବା ବିଦେଶୀଙ୍କ ପାଇଁ ସ୍ୱର୍ଗ ପାଲଟିଛି ଭାରତ'