ଗୁଆହାଟୀ: ଆସାମର ନାଗୋଆନ ଜିଲ୍ଲାରେ ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ତଫାଜୁଲ ଇସଲାମଙ୍କ ମୃତ୍ୟୁ ଘଟିଛି। ଆଜି ଭୋର ୪ଟାରେ ପୁଲିସ ଅଭିଯୁକ୍ତ ତଫାଜୁଲ ଇସଲାମକୁ କ୍ରାଇମ୍ ସିନ୍ ରିକ୍ରିଏଟ୍ କରିବା ପାଇଁ ଘଟଣାସ୍ଥଳକୁ ନେଉଥିଲା। ଏହାପରେ ଅଭିଯୁକ୍ତ ପୋଖରୀକୁ ଡେଇଁ ପଳାଇବାକୁ ଚେଷ୍ଟା କରିଥିଲା। ଦୀର୍ଘ ୨ ଘଣ୍ଟା ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟ ପରେ ଅଭିଯୁକ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ଘଟଣାକୁ ଆସାମବାସୀଙ୍କ ଉପରେ ଆକ୍ରମଣ ବୋଲି ବର୍ଣ୍ଣନା କରିବା ପରେ ଏହି ଘଟଣା ଘଟିଛି। ଶର୍ମା ଦୋଷୀମାନଙ୍କୁ ନ୍ୟାୟ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ କହିଥିଲେ ଯେ ଯେଉଁ ଅପରାଧୀମାନେ ଜଣେ ନାବାଳିକା ହିନ୍ଦୁ ଝିଅ ସହିତ ଏଭଳି ଜଘନ୍ୟ ଅପରାଧ କରିବାକୁ ସାହସ କରିଥିଲେ ସେମାନଙ୍କୁ ଆଇନ ଛାଡିବ ନାହିଁ।
ସୂଚନାଯୋଗ୍ୟ, ଗୁରୁବାର ରାତି ପ୍ରାୟ ୮ଟା ବେଳେ ଧିଙ୍ଗ ଅଞ୍ଚଳରେ ନାବାଳିକା ଜଣକ ଟ୍ୟୁସନରୁ ସାଇକେଲରେ ଘରକୁ ଫେରୁଥିବା ବେଳେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।
ଏସପି ନଗାଓଁ ସ୍ୱପ୍ନିଲ ଡେକା କହିଛନ୍ତି ଯେ ଏହି ମାମଲାରେ ପୁଲିସ ତାଙ୍କୁ ପୂର୍ବରୁ ମଧ୍ୟ ଗିରଫ କରିଥିଲା। ରାତିରେ ପୁଲିସର ଏକ ଟିମ୍ ତାଙ୍କୁ ଘଟଣାସ୍ଥଳକୁ ନେଇ ତଦନ୍ତ କରୁଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଘଟଣାସ୍ଥଳ ନିକଟରେ ଥିବା ଏକ ପୋଖରୀକୁ ଡେଇଁ ପଡ଼ିଥିଲା। ଆମ ପୁଲିସ ସର୍ଚ୍ଚ ଅପରେସନରେ ନିୟୋଜିତ ଥିଲା ଏବଂ ଏସଡିଆରଏଫ ଟିମ୍ ସହାୟତାରେ ଆମେ ଆଜି ସକାଳେ ପୋଖରୀରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲୁ।
ଅଧିକ ପଢ଼ନ୍ତୁ: ୧୪ ଦିନିଆ ରିମାଣ୍ଡରେ ବଳାତ୍କାରୀ ସଂଜୟ