ଦେଶରେ ଚାଲିଥିବା ସାଧାରଣ ନିର୍ବାଚନ ଏବେ ଶେଷ ପର୍ଯ୍ୟାୟରେ। ଆସନ୍ତା ୧ ତାରିଖରେ ଶେଷ ପର୍ଯ୍ୟାୟ ଭୋଟିଂ ହେବ। ଏହାପରେ ଜୁନ ୪ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ୭ ପର୍ଯ୍ୟାୟରେ ଦେଶର ୫୪୩ ଲୋକସଭା ଓ କିଛି ରାଜ୍ୟର ବିଧାନସଭା ଆସନ ମତଦାନ ହେଉଛି। ଏଥିପାଇଁ ସବୁ ଦଳର ଷ୍ଟାର ପ୍ରଚାରକମାନେ ଜୋରଦାର ପ୍ରଚାର କରୁଛନ୍ତି। ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ଦଳ ବିଜେପି ପାଇଁ ପ୍ରଚାର କରୁଛନ୍ତି। ଆସନ୍ତା ୩୦ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହେବ। ପ୍ରଚାର ଶେଷ ହେବା ପରେ ମୋଦି ୨୪ ଘଣ୍ଟା ପାଇଁ ଧ୍ୟାନରେ ବସିବେ। ତାମିଲନାଡୁର କନ୍ୟାକୁମାରୀରେ ଠାରେ ଥିବା ସ୍ୱାମୀ ବିବେକାନନ୍ଦ ସ୍ମାରକୀରେ ସେ ପୂରା ୨୪ ଘଣ୍ଟା ଧ୍ୟାନ କରିବେ ବୋଲି ସୂଚନା ମିଳିଛି।
ଦଳର ଜଣେ ନେତା କହିଛନ୍ତି ପ୍ରଧାନମନ୍ତ୍ରୀ ଯେଉଁ ପଥର ଉପରେ ଧ୍ୟାନ କରିବେ ତାହା ବିବେକାନନ୍ଦଙ୍କ ଜୀବନରେ ଏକ ପ୍ରମୁଖ ପ୍ରଭାବ ପକାଇଥିଲା । ଦେଶ ଭ୍ରମଣ କରିବା ପରେ ବିବେକାନନ୍ଦ ଏଠାରେ ପହଞ୍ଚି ତିନି ଦିନ ଧ୍ୟାନ କରିଥିଲେ। ସେ ଏଠାରେ ଏକ ବିକଶିତ ଭାରତର ସ୍ୱପ୍ନ ଦେଖିଥିଲେ। ଉକ୍ତ ସ୍ଥାନରେ ଧ୍ୟାନ କରିବା ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ବିକଶିତ ଭାରତର ସ୍ବାମୀଜୀଙ୍କ ଦୃଷ୍ଟିକୁ ଜୀବନ୍ତ କରିବା ପାଇଁ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।