ଗାନ୍ଧିନଗର: ଉତ୍ତରାଖଣ୍ଡ ପରେ ଏବେ ଗୁଜରାଟରେ ମଧ୍ୟ ୟୁନିଫର୍ମ ସିଭିଲ କୋର୍ଡ(ଏକକ ନାଗରିକ ସଂହିତା) ଲାଗୁ କରାଯିବାକୁ ପ୍ରସ୍ତୁତି କରାଯାଉଛି । ଏହି ପ୍ରସଙ୍ଗରେ ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍ ଓ ଗୃହ ରାଜ୍ୟ ମନ୍ତ୍ରୀ ହର୍ଷ ସଂଘଭି ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୟୁସିସିର ଡ୍ରାଫ୍ଟ ପ୍ରସ୍ତୁତ କରିବା ଓ ଏହାକୁ ଆଇନରେ ପରିଣତ କରିବା ପାଇଁ ଏକ କମିଟି ଗଠନ କରାଯିବ । ଏହି କମିଟିର ଅଧ୍ୟକ୍ଷତା କରିବେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ରଞ୍ଜନା ଦେଶାଇ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି କମିଟିରେ ୫ ଜଣ ସଦସ୍ୟ ରହିବେ । କମିଟି ୪୫ ଦିନରେ ରାଜ୍ୟ ସରକାରଙ୍କୁ ନିଜର ରିପୋର୍ଟ ହସ୍ତାନ୍ତର କରିବେ । ରିପୋର୍ଟ ଆଧାରରେ ସରକାର ୟୁସିସିକୁ ନେଇ ନିଷ୍ପତ୍ତି ନେବେ । ଯଦି ଏମିତି ହୁଏ ତେବେ ଉତ୍ତରାଖଣ୍ଡ ପରେ ଗୁଜରାଟ ଦେଶର ଦ୍ୱିତୀୟ ରାଜ୍ୟ ହେବ ଯେଉଁଠି ୟୁସିସି ଲାଗୁ ହେବ ।
ସମାନ ନାଗରିକ ସଂହିତା ବିଜେପିର ମୁଖ୍ୟ ଦୁଇ ପ୍ରତିଶ୍ରୁତି ମଧ୍ୟରୁ ଗୋଟିଏ । ଏଥିରେ ବିବାହ, ଛାଡପତ୍ର, ଦାୟାଦ, ପୋଷ୍ୟ ସନ୍ତାନ ଗ୍ରହଣ ଆଦି ପରି ମାମଲାରେ ସବୁ ଧାର୍ମିକ ସମୁଦାୟ ପାଇଁ ଗୋଟିଏ ଆଇନର ପ୍ରାବଧାନ ରହିଛି । ଗୁଜରାଟରେ ବିଜେପି ସରକାର ଏହା ଉପରେ ବହୁ ଦିନରୁ ବିଚାର କରୁଛନ୍ତି । ୨୦୨୨ରେ ସରକାର ରାଜ୍ୟରେ ନାଗରିକ ସଂହିତାର ବ୍ୟବହାରିତା ଓ ଆବଶ୍ୟକତା ବିଷୟରେ ପୁଙ୍ଖାନୁପୁଙ୍ଖ ଜାଣିବା ପାଇଁ ଏକ କମିଟି ଗଠନ କରିଥିଲେ । ଆଉ ଏହା ଉପରେ କମିଟି ରାଜ୍ୟ ସରକାରଙ୍କୁ ନିଜର ରିପୋର୍ଟ ଦେଇଥିଲେ ।
ସୂଚନାଯୋଗ୍ୟ, ଗତ ମାସରେ ଉତ୍ତରାଖଣ୍ଡ ଭାରତର ପ୍ରଥମ ରାଜ୍ୟ ହୋଇଛି ଯିଏ ସମାନ ନାଗରିକ ସଂହିତା ଲାଗୁ କରିଛି । ଏହି ରାଜ୍ୟରେ ଜାନୁଆରୀ ୨୭ରୁ ୟୁନିଫର୍ମ ସିଭିଲ କୋଡ୍ ଲାଗୁ ହୋଇ ଯାଇଛି ।