ନୂଆଦିଲ୍ଲୀ: ସଲମାନ ଖାନ ଓ ଶାହରୁଖ ଖାନଙ୍କ ପରେ ଏବେ ଫିଲ୍ମ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଧମକ ମିଳିଛି । ତାଙ୍କୁ ପାକିସ୍ତାନର ଡନ ଶେହଜାଦ ଭଟ୍ଟି ଧମକ ଦେଇଛି । ସେ କହିଛି ଯେ, ୧୫ ଦିନ ଭିତରେ କ୍ଷମା ନ ମାଗିଲେ ପଶ୍ଚାତାପ କରିବେ । ଭଟ୍ଟି ଦୁବାଇରୁ ଦୁଇଟି ଭିଡିଓ ଜାରି କରି ଏହି ଧମକ ଦେଇଛି । ଏହି ଭିଡିଓରେ ସେ ମିଥୁନ ଚକ୍ରବର୍ତ୍ତୀଙ୍କ ଉପରେ ନିଜର କ୍ରୋଧ ଜାହିର କରୁଥିବା ଦେଖିବାକୁ ମିଳିଛି ।
ଅକ୍ଟୋବର ୨୭ ତାରିଖରେ କୋଲକାତାରେ ଏକ ରାଲି ସମୟରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ମିଥୁନ କହିଥିଲେ, ଜଣେ ନେତା କହିଥିଲେ ଏଠାରେ ୭୦ ପ୍ରତିଶତ ଜନସଂଖ୍ୟା ମୁସଲମାନ । ହିନ୍ଦୁଙ୍କୁ କାଟି ଭାଗିରଥୀରେ ଭସାଇ ଦେବେ । ମୁଁ କହୁଛି, ଆମେ ତୁମକୁ କାଟି ନଦୀରେ ଭସାଇବୁ ନାହିଁ, କିନ୍ତୁ ମାଟିରେ ପୋତି ଦେବୁ ।
ପାକିସ୍ତାନର ଡନ ମିଥୁନଙ୍କ ଏହି ବୟାନ ଉପରେ କହିଛି, ମୋର ଏହି ଭିଡିଓ ମିଥୁନ ଚକ୍ରବର୍ତ୍ତୀଙ୍କ ପାଇଁ ଉଦ୍ଦିଷ୍ଟ । କିଛି ଦିନ ପୂର୍ବେ ମିଥୁନ କହିଥିଲେ, ମୁସଲମାନଙ୍କୁ କାଟି ଦେବି ଓ ପୋତି ଦେବି । ମିଥୁନ ସାହାବ ଆପଣଙ୍କୁ ମୋର ପରାମର୍ଶ ୧୦ରୁ ୧୫ ଦିନ ଭିତରେ ଆପଣ ଏହି ବକବାସ ପାଇଁ କ୍ଷମା ମାଗନ୍ତୁ, ନଚେତ୍ ପଶ୍ଚାତାପ କରିବେ । ଭଟ୍ଟି ଏହା ମଧ୍ୟ କହୁଛି, ଆପଣଙ୍କ ପ୍ରଶଂସକ ମଧ୍ୟ ମୁସଲିମ । ମୁସଲମାନମାନେ ଆପଣଙ୍କୁ ସମ୍ମାନ ଦିଅନ୍ତି । ଆପଣଙ୍କ ଫ୍ଲପ ଫିଲ୍ମ ମଧ୍ୟ ଆମେ ଦେଖିବାକୁ ଯାଉଥିଲୁ । ଆଜି ଆପଣ ଯେଉଁ ଉଚ୍ଚରେ ପହଞ୍ଚିଛନ୍ତି, ଏହା ସବୁ ଆମ କାରଣରୁ । ଆପଣ ଆଜି ଯେଉଁ ବୟସରେ ଉପନ୍ନୀତ, ସେହି ବୟସରେ ଏମିତି ବକବାସ କରିବା ଉଚିତ୍ ନୁହେଁ, ନଚେତ୍ ପରେ ପଶ୍ଚାତାପ କରିବେ ।
ସୂଚନାଯୋଗ୍ୟ, ମିଥୁନ ଚକ୍ରବର୍ତ୍ତୀଙ୍କ ଭାଷଣ ପରେ ତାଙ୍କ ଉପରେ ଦୁଇଟି ଏଫଆଇଆର ରୁଜୁ ହୋଇଥିଲା । ପ୍ରଥମ ଏଫଆଇଆର ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ବିଧାନନଗର ଦକ୍ଷିଣ ପୋଲିସରେ ଏବଂ ଦ୍ୱିତୀୟ ଏଫଆଇଆର ବହୁବାଜାର ଥାନରେ ରୁଜୁ ହୋଇଥିଲା ।