ଭାରତର ରାଜଧାନୀ ଦିଲ୍ଲୀର ପ୍ରଗତି ମୈଦାନରେ ତିଆରି ହୋଇଥିବା ‘ଭାରତ ମଣ୍ଡପମ୍’ କୁ ନେଇ ସାରା ବିଶ୍ୱରେ ଏବେ ଚର୍ଚ୍ଚା ଚାଲିଛି । ‘ଭାରତ ମଣ୍ଡପମ୍’ ରେ G -20 ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଯେଉଁ ସମ୍ମିଳନୀରେ ବିଶ୍ୱର ନେତାମାନେ ମଧ୍ୟ ଯୋଗଦେଇଥିଲେ । ସୂଚନା ଅନୁସାରେ, ଦିଲ୍ଲୀର ଦ୍ୱାରକାଠାରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ୍ ଆଣ୍ଡ ଏକ୍ସପୋ ସେଣ୍ଟର (ଆଇଆଇସିସି) ନିର୍ମାଣ କରାଯାଉଛି । ଯାହାର ନାମ ‘ଯଶୋଭୂମି’ ରଖାଯାଇଛି । ସେପ୍ଟେମ୍ବର ୧୭ ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବେ । ଯେଉଁଠି ଦେଶରେ ଅନ୍ତର୍ଜାତୀୟ ସ୍ତରର ବୈଠକ, ସମ୍ମିଳନୀ ଏବଂ ପ୍ରଦର୍ଶନୀ ଆୟୋଜନ ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି । ମୋଟ ୮.୯ ଲକ୍ଷ ବର୍ଗ ମିଟର ଅଞ୍ଚଳରେ ଯଶୋଭୂମି ନିର୍ମାଣ କରାଯାଉଛି, ସେଥିମଧ୍ୟରୁ ୧.୮ ଲକ୍ଷ ବର୍ଗ ମିଟରରୁ ଅଧିକ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଯଶୋଭୂମିରେ ସମସ୍ତ ପ୍ରକାର ସୁବିଧା ସୁଯୋଗ କରାଯାଇଛି । ଏଥିରେ ପ୍ରାୟ ୧୧,୦୦୦ ପ୍ରତିନିଧି ବସିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଆଉ ଏହାର ମୁଖ୍ୟ ଅଡିଟୋରିୟମରେ ଏକାସମୟରେ ୬୦୦୦ ଅତିଥି ବସିବାର ସୁବିଧା ହୋଇଛି । ଯଶୋଭୂମିରେ ଏକ ବୃହତ ପ୍ରଦର୍ଶନୀ ହଲ୍ ସହିତ ମିଡିଆ ରୁମ୍, ଭିଭିଆଇପି ଲାଉଞ୍ଜ, ସୂଚନା କେନ୍ଦ୍ର ଓ ଟିକେଟ୍ ସେଣ୍ଟର ଭଳି ସମସ୍ତ ଅତ୍ୟାଧୁନିକ ସେବା ଯୋଗାଇଦିଆଯିବ ।
ଆଗକୁ ପଢ଼ନ୍ତୁ : ବାରଣାସୀରେ ଉନ୍ମୋଚନ ହେଲା ‘ସାଠ୍ କେ ହେମନ୍ତ’ ପୁସ୍ତକ