ପାଟନା: ବିହାରର ରାଜଧାନୀ ପାଟନାର ପ୍ରସିଦ୍ଧ ମହାବୀର ମନ୍ଦିରରେ ଶନିବାର ଏଟିଏସ୍ (ଆତଙ୍କବାଦୀ ନିରୋଧୀ ସ୍କ୍ୱାଡ୍) ଏକ ମକ୍ ଡ୍ରିଲ୍ କରିଥିଲା। ଏହି ଅଭ୍ୟାସ ସମୟରେ ଏଟିଏସ୍ ସନ୍ଧାନୀ କୁକୁର ସ୍କ୍ବାଡ୍ ସହିତ ମନ୍ଦିରରେ ଥିବା ଲୋକମାନଙ୍କୁ ଉଦ୍ଧାର କରିଥିଲେ। ସେମାନେ ଅଧ ଡଜନରୁ ଅଧିକ ଆତଙ୍କବାଦୀଙ୍କୁ ମଧ୍ୟ ଧରିଥିଲେ। ଏଟିଏସ୍ ତାର ଆଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିଥିଲା। ମକ୍ ଡ୍ରିଲ୍ ସମୟରେ ପାଟନା ପୋଲିସ ମଧ୍ୟ ଉପସ୍ଥିତ ଥିଲା। ଏହା ସହିତ, ଭାରତୀୟ ସେନା ସୈନିକଙ୍କ ସୁରକ୍ଷା ପାଇଁ ହନୁମାନ ଚାଳିଶା ପାଠ କରାଯାଇଥିଲା।
ହଠାତ୍ ଏଟିଏସ୍ ଅଧିକାରୀ ଏବଂ ସୈନିକମାନେ ଅସ୍ତ୍ରଶସ୍ତ୍ର ଧରି ମହାବୀର ମନ୍ଦିରରେ ପହଞ୍ଚିଗଲେ। ସେଠାରେ ଉପସ୍ଥିତ ଭକ୍ତମାନେ ଟିକେ ଆଶ୍ଚର୍ଯ୍ୟ ହେଲେ। ଅଳ୍ପ ସମୟ ପାଇଁ ହେଲେ ମଧ୍ୟ ଏକ ବିଶୃଙ୍ଖଳାର ପରିବେଶ ସୃଷ୍ଟି ହୋଇଥିଲା। ପରେ ତାଙ୍କୁ କୁହାଗଲା ଯେ ଏହା ଏକ ମକ୍ ଡ୍ରିଲ୍ ଥିଲା। ଏଟିଏସ୍ ଏବଂ ପାଟନା ପୋଲିସ ଉଭୟ ଏକାଠି ଅଭ୍ୟାସ କରିଥିଲେ। ପ୍ରକୃତରେ ଏଟିଏସ୍ ଏବଂ ପାଟନା ପୋଲିସକୁ ସୂଚନା ମିଳିଥିଲା ଯେ କିଛି ଆତଙ୍କବାଦୀ ମହାବୀର ମନ୍ଦିରରେ ପ୍ରବେଶ କରିଛନ୍ତି। ସେମାନେ ଲୋକଙ୍କୁ ବନ୍ଧକ ରଖିଛନ୍ତି। ଏହା ପରେ ଏଟିଏସ୍ କମାଣ୍ଡୋ ଏବଂ କୋତୱାଲି ଥାନା ମୁଖ୍ୟ ରାଜନ କୁମାର ପୋଲିସ ବାହିନୀ ସହିତ ମହାବୀର ମନ୍ଦିରରେ ପହଞ୍ଚିଥିଲେ। ମନ୍ଦିରଟି ଚାରିପାଖରୁ ଘେରି ରହିଥିଲା। ତା’ପରେ ଏଟିଏସ୍ ଦଳ ଧୀରେଧୀରେ ମନ୍ଦିର ଭିତରକୁ ଗଲା।
ବାସ୍ତବରେ ପାଟଣା ମହାବୀର ମନ୍ଦିରରେ ଆତଙ୍କବାଦୀ ନଥିଲେ। ଆତଙ୍କବାଦୀ ପରିସ୍ଥିତିରେ ଏଟିଏସ୍କୁ କେମିତି ମୁକାବିଲା କରିବାକୁ ପଡ଼ିଥାଏ, ସେନେଇ ଏଟିଏସ୍ ପକ୍ଷରୁ ଏକ ମକ୍ ଡ୍ରିଲ୍ କରାଯାଇଥିଲା।
ମକ୍ ଡ୍ରିଲରେ ଆତଙ୍କବାଦୀଙ୍କୁ ହତ୍ୟା କରିବା ପାଇଁ ଅଭ୍ୟାସ କରାଯାଇଥିଲା। ଏହି ସମୟରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ବନ୍ଧକମାନଙ୍କୁ ମୁକ୍ତ କରାଯାଇଥିଲା। ଏହି ସମୟରେ, ଅଧ ଡଜନ ଆତଙ୍କବାଦୀଙ୍କୁ ଅଟକ ରଖିବା ପାଇଁ ଅଭ୍ୟାସ ମଧ୍ୟ କରାଯାଇଥିଲା। ଏଟିଏସ୍ର ଏହି ମକ୍ ଡ୍ରିଲ୍ ପ୍ରାୟ ଅଧ ଘଣ୍ଟା ଧରି ଚାଲିଥିଲା। ଏହି ସମୟ ମଧ୍ୟରେ ଟ୍ରାଫିକ୍ ବ୍ୟବସ୍ଥା ମଧ୍ୟ ନିୟନ୍ତ୍ରଣ କରାଯାଇଥିଲା।
ଅଧିକ ପଢ଼ନ୍ତୁ: ଘାଟିରେ ସ୍ବାଭାବିକ ସ୍ଥିତି: ସୀମାରେ ଶାନ୍ତି; ସୁରକ୍ଷା ବାହିନୀ ସତର୍କ