ଚେନ୍ନାଇ: ସାମୁଦ୍ରିକ ଝଡ଼ ‘ଫେଙ୍ଗଲ’ର ପ୍ରଭାବ ଦକ୍ଷିଣ ଭାରତରେ ଦେଖିବାକୁ ମିଳୁଛି। କେରଳର ୪ଟି ଜିଲ୍ଲା (ମାଲାପୁରମ୍, କୋଝିକୋଡ଼, ୱାୟନାଡ ଏବଂ କନ୍ନୁର)ରେ ବର୍ଷା ପାଇଁ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି। ଆନ୍ଧ୍ରପ୍ରଦେଶରେ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଆଇଏମଡି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆନ୍ଧ୍ରପ୍ରଦେଶର କାକିନାଡା ଓ ଅନ୍ୟାନ୍ୟ ଜିଲ୍ଲା ତଥା ଦକ୍ଷିଣ ଉପକୂଳ ଅଞ୍ଚଳର ନେଲ୍ଲୋରରେ ପ୍ରବଳ ବର୍ଷା ହୋଇପାରେ।
ପୁଡୁଚେରୀ ଏବଂ ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ସେହିପରି ଶନିବାରଠାରୁ ଶ୍ରୀଲଙ୍କା ଓ ଭାରତରେ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଶ୍ରୀଲଙ୍କାରେ ୧୫ ଓ ଚେନ୍ନାଇରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ରିଲିଫ୍ କ୍ୟାମ୍ପକୁ ନିଆଯାଇଛି।
ତିନି ଦଶନ୍ଧି ତଳେ ପୁଡୁଚେରୀରେ ପ୍ରକୃତିର ଏଭଳି ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା ଏବଂ ବର୍ଷା ଯୋଗୁଁ ମୁଖ୍ୟ ରାସ୍ତା ଓ ରାସ୍ତା ଜଳମଗ୍ନ ହେବା ସହ ଦୈନନ୍ଦିନ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିଲା ବୋଲି ବୟସ୍କ ଲୋକମାନେ କହିଛନ୍ତି। ପରିବହନ ସେବା ପ୍ରଭାବିତ ହୋଇଛି ଏବଂ ପଣ୍ଡିଚେରୀ ହେରିଟେଜ୍ ରାଉଣ୍ଡ ଟେବୁଲ ୧୬୭ ଭଳି ସ୍ୱେଚ୍ଛାସେବୀ ଅନୁଷ୍ଠାନ ରିଲିଫ୍ କ୍ୟାମ୍ପରେ ଲୋକଙ୍କୁ ଖାଦ୍ୟ ପ୍ୟାକେଟ୍ ଯୋଗାଇବା ପାଇଁ ସରକାରଙ୍କ ପ୍ରୟାସକୁ ସମର୍ଥନ କରିଛନ୍ତି।
ଅନେକ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଶତାଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ପ୍ରଶାସନ, ପୁଲିସ ଫୋର୍ସ, ସେନା ଓ ସ୍ବତନ୍ତ୍ର ଉଦ୍ଧାରକାରୀ ଟିମ୍ର ମିଳିତ ଉଦ୍ୟମରେ ଏହି ଅପରେସନକୁ ଦକ୍ଷତାର ସହ ପରିଚାଳନା କରାଯାଇଛି। ଜିଭା ନଗର ଏବଂ ଅନ୍ୟ ାନ୍ୟ ସମ୍ବେଦନଶୀଳ ଅଂଚଳରେ ଲୋକଙ୍କୁ ସ୍ଥାନାନ୍ତର କରିବା ସହ ଆବଶ୍ୟକ ରିଲିଫ ଯୋଗାଇ ଦେବା ପାଇଁ ପ୍ରୟାସ ଜାରି ରହିଛି ।
ସାମୁଦ୍ରିକ ଝଡ଼ ଫେଙ୍ଗଲ ଯୋଗୁଁ ତାମିଲନାଡୁର ଅନେକ ଅଞ୍ଚଳରେ ୫୦ ସେମିରୁ ଅଧିକ ବର୍ଷା ହୋଇଛି। ଫଳରେ ଏଠାରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବାତ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଭିଲ୍ଲୁପୁରମ୍। ୩୨ଟି ରିଲିଫ୍ କ୍ୟାମ୍ପରେ ୧ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଭିଲ୍ଲୁପୁରମରେ ୪୯ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଛି।
ଅଧିକ ପଢ଼ନ୍ତୁ: ଅନୁପ୍ରବେଶ ରୋକିବା ପାଇଁ ଦୁଇ ଅତିରିକ୍ତ ବିଏସଏଫ ବାଟାଲିୟନ