ପାଟଣା: ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର। ଶିବାଳୟଗୁଡ଼ିକରେ କାଉଡିଆମାନଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ବିହାରର ଜେହାନାବାଦରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମଖଦୁମ୍ପୁରର ୱାନାଭରସ୍ଥିତ ବାବା ସିଦ୍ଧେଶ୍ୱର ନାଥ ମନ୍ଦିରରେ ଦଳାଚକଟାରେ ୭ ଜଣଙ୍କ ମୃତ୍ୟୁ ଘଟିଛି। କର୍ତ୍ତୃପକ୍ଷ ୮ ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି, କିନ୍ତୁ ଏହି ସଂଖ୍ୟା ବଢ଼ିପାରେ। ଅନେକ ଲୋକଙ୍କୁ ଚିକିତ୍ସା ପାଇଁ ଜହାନାବାଦ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ପ୍ରଶାସନଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ତୁରନ୍ତ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲା। ଶ୍ରାବଣ ମାସରେ ବାବା ସିଦ୍ଧେଶ୍ୱର ନାଥ ମନ୍ଦିରକୁ ଜଳ ଅର୍ପଣ କରିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଜମିଥାଏ। ସୋମବାର ଦିନ ଭିଡ଼ ଅଧିକ ବଢ଼ିଥାଏ। ଏହାକୁ ଦୃଷ୍ଟିରେ ରଖି ରବିବାର ରାତିରୁ ଲୋକଙ୍କ ଭିଡ଼ ଜମିବା ଆରମ୍ଭ ହୋଇଥିଲା।
ଜେହାନାବାଦ ଏସ୍ଏଚ୍ଓ ଦିବାକର କୁମାର ବିଶ୍ୱକର୍ମା କହିଛନ୍ତି, ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ଏସ୍ପି ଘଟଣାସ୍ଥଳପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ସମୁଦାୟ ୮ ଜଣଙ୍କ ମୃତ୍ୟୁ ଘଟିଛି। ଆମେ ପରିବାର ସଦସ୍ୟଙ୍କୁ (ମୃତ ଏବଂ ଆହତ ବ୍ୟକ୍ତିଙ୍କ) ସାକ୍ଷାତ ଏବଂ ପଚରାଉଚରା କରୁଛୁ। ଆମେ ମୃତ ଓ ଆହତ ଲୋକଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛୁ। ଏହା ପରେ ଆମେ ଶବବ୍ୟବଚ୍ଛେଦ ପାଇଁ ପଠାଇବୁ।
ଘଟଣା ସମ୍ପର୍କରେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଏହି ଘଟଣା ପରେ ଶ୍ରଦ୍ଧାଳୁମାନେ ତଳେ ପଡ଼ିଯାଇଥିଲେ। ଲୋକେ ଶ୍ୱାସରୁଦ୍ଧ ହୋଇଯାଇଥିଲେ। ଜଣେ ପ୍ରତ୍ୟକ୍ଷଦର୍ଶୀ ପ୍ରଶାସନ ଉପରେ ଅଭିଯୋଗ ଆଣିଛନ୍ତି। ଲାଠିଚାର୍ଜ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏନସିସିର ଲୋକମାନେ କର୍ତ୍ତବ୍ୟ କରୁଥିଲେ। ଏଥିରେ ବିହାର ପୁଲିସର କେହି ନଥିଲେ। ପାଣି ଦେବାକୁ ଆସିଥିବା ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି ଯେ ପାହାଡ଼ ଉପରେ ପୁଲିସ ଓ ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ଲାଠି ମାଡ଼ ହେବା ପରେ ଲୋକମାନେ ପଛକୁ ଦୌଡ଼ିବା ଆରମ୍ଭ କରିଥିଲେ। ସେଥିରେ ଏହି ଘଟଣା ଘଟିଛି। ଲୋକମାନେ ତଳକୁ ଖସି ଆସୁଥିଲେ। ତେବେ ଘଟଣାର ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି।