ଭୁବନେଶ୍ୱର : ବଡ ଚାକିରୀ ଲୋଭରେ ଥାଇଲାଣ୍ଡରେ ପ୍ରତାରିତ ୫୪୦ ଭାରତୀୟ ନାଗରିକ । ଜାଲ ଚାକିରୀ କରାଇଦେବା ଲୋଭରେ ପ୍ରତାରିତ ହୋଇ କ୍ରାଇମ ନେଟୱାର୍କରେ ଫସି ରହିଥିଲେ । ଏହାସହ ମିଆଁମାର-ଥାଇଲାଣ୍ଡ ସୀମାରେ ଥିବା ନକଲି କଲ୍ ସେଣ୍ଟରରେ କାମ କରିବାକୁ ସେମାନଙ୍କୁ ବାଧ୍ୟ କରାଯାଉଥିଲା । ଆଉ ବର୍ତମାନ ଫସି ରହିଥିବା ଭାରତୀୟଙ୍କୁ ଥାଇଲାଣ୍ଡ ଓ ଅନ୍ୟ ଦେଶରୁ ଉଦ୍ଧାର କରାଯାଇଛି। ୫୪୦ ଜଣଙ୍କ ମଧ୍ୟରୁ 283 ସାଧାରଣ ନାଗରିକଙ୍କୁ ନେଇ ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ସୋମବାର ଦିଲ୍ଲୀରେ ପହଞ୍ଚିଛି। ଏହାସହ ଅବଶିଷ୍ଟ ଲୋକଙ୍କୁ ଦ୍ୱିତୀୟ ବିମାନ ଆଜି ଫେରାଇ ଆଣିବ ବୋଲି ସୂଚନା ରହିଛି ।
ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ବାନ୍ଦି ସଞ୍ଜୟ କହିଛନ୍ତି ଯେ, ଉଦ୍ଧାର ହୋଇଥିବା ସାଧାରଣ ନାଗରିକଙ୍କ ମଧ୍ୟରୁ 42 ଜଣ ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାର। ଏହି ନାଗରିକମାନେ ନକଲି ଚାକିରି ଅଫର ସହିତ ପ୍ରତାରିତ ହୋଇଥିଲେ ଏବଂ ଥାଇଲାଣ୍ଡ, କାମ୍ବୋଡିଆ, ଲାଓସ ଏବଂ ମିଆଁମାରରେ ସାଇବର ଠକେଇରେ ଜଡିତ ନକଲି କଲ ସେଣ୍ଟରରେ ବନ୍ଧକ ଭାବେ ରହିଥିଲେ। ଖାଲି ସେତିକି ନୁହେଁ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିବା ଅନୁଯାୟୀ ମିଆଁମାର-ଥାଇଲାଣ୍ଡ ସୀମାରେ କାର୍ଯ୍ୟ କରୁଥିବା ନକଲି କଲ୍ ସେଣ୍ଟରରେ ସାଇବର ଅପରାଧ ତଥା ଅନ୍ୟାନ୍ୟ ଜାଲିଆତି କାର୍ଯ୍ୟ କରିବାକୁ ଏହି ଲୋକମାନଙ୍କୁ ବାଧ୍ୟ କରାଯାଇଥିବା ଜଣାପଡିଛି ।