ନୂଆଦିଲ୍ଲୀ: ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ଅର୍ଥାତ୍ ମଙ୍ଗଳବାର ଦିନ ୧୨ଟାରୁ ସମସ୍ତ ମତଦାନ କେନ୍ଦ୍ରରେ ଇଭିଏମ୍ ମେସିନ୍ ପହଞ୍ଚିବା ଆରମ୍ଭ ହେବ ଏବଂ ଏହା ସହିତ ଦିଲ୍ଲୀ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀମୁତୟନ ମଧ୍ୟ ଆରମ୍ଭ ହେବ। ଇଭିଏମ୍ ମେସିନ୍ ଷ୍ଟ୍ରଙ୍ଗରୁମ୍କୁ ନ ନେବା ପର୍ଯ୍ୟନ୍ତ ଆଜି ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ ସମସ୍ତ ମତଦାନ କେନ୍ଦ୍ରରେ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ମୁତୟନ ରହିବ ବୋଲି ସୂଚନା ଦିଆଯାଇଛି। କେବଳ ସମ୍ବେଦନଶୀଳ ଥିବା ପୋଲିଂ ବୁଥରେ ଦିଲ୍ଲୀ ପୁଲିସ ବ୍ୟତୀତ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯିବ। ଜେନେରାଲ ବୁଥ୍ରେ କେବଳ ଦିଲ୍ଲୀ ପୁଲିସ ମୁତୟନ ହେବେ। ସେପଟେ ଆଜି ସକାଳେ ପ୍ରିଜାଇଡିଂ ଅଫିସର ଓ ସେକ୍ଟର ଅଫିସର ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଂଚି ମେସିନକୁ ନିଜ ନିଜ ଅଞ୍ଚଳକୁ ଆଣିଥିଲେ। ଦିଲ୍ଲୀ ପୁଲିସ ସେମାନଙ୍କୁ ସୁରକ୍ଷା ଦେବ। ଆସନ୍ତାକାଲି ସକାଳୁ ଯେପରି କୌଣସି ଅସୁବିଧା ନ ହୁଏ ସେଥିପାଇଁ ସେମାନେ ରାତିରେ ସମସ୍ତ ମତଦାନ କେନ୍ଦ୍ରରେ ରହିବେ।
ଫେବ୍ରୁଆରି ୫ (ବୁଧବାର) ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଏକ୍ଜିଟ୍ ପୋଲ୍ ପ୍ରକାଶନ କିମ୍ବା ପ୍ରଚାର ଉପରେ କଟକଣା ଜାରି କରିଛନ୍ତି ନିର୍ବାଚନ ଆୟୋଗ।
ଦିଲ୍ଲୀରେ ଶାନ୍ତିଶୃଙ୍ଖଳାର ସହ ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀ ପୁଲିସ ପ୍ରସ୍ତୁତି ଶେଷ କରିଛି। ମତଦାନ ଦିନ ମତଦାନ କେନ୍ଦ୍ରଗୁଡ଼ିକରେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଦିଲ୍ଲୀ ପୋଲିସର ୪୨,୧୫୧ ଯବାନ ନିୟୋଜିତ ହେବେ। ଏହାବ୍ୟତୀତ ଗୃହ ମନ୍ତ୍ରଣାଳୟରୁ ମିଳିଥିବା ୧୯ ହଜାରରୁ ଅଧିକ ହୋମଗାର୍ଡ ଏବଂ ୨୨୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଦିଲ୍ଲୀ ପୁଲିସ ସହ ମିଶି କାର୍ଯ୍ୟ କରିବେ।
ଦିଲ୍ଲୀ ପୁଲିସ ୧୨୧ଟି ବଡ଼ ଓ ୪୩ଟି ଛୋଟ ସୀମାରେ ସତର୍କତା ବଢ଼ାଇବା ସହ ସନ୍ଦିଗ୍ଧ ଗାଡ଼ି ଉପରେ ନଜର ରଖିଛି। ସୋମବାର ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସ୍ୱତନ୍ତ୍ର ଆଇନ ଶୃଙ୍ଖଳା କମିଶନର ମଧୁପ କୁମାର ତିୱାରୀ ଏବଂ ରବୀନ୍ଦ୍ର ସିଂହ ଯାଦବ କହିଛନ୍ତି ଯେ ଜାନୁଆରୀ ୭ ରେ ପ୍ରାର୍ଥୀ ଚୟନ ହେବା ପରଠାରୁ ଦିଲ୍ଲୀ ପୋଲିସ ଶାନ୍ତିପୂର୍ଣ୍ଣ ଭାବରେ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ପାଇଁ ୧୨,୦୦୦ରୁ ଅଧିକ କାର୍ଯ୍ୟକ୍ରମ ଆୟୋଜନ କରିଛି, ଯେଉଁଥିରେ ଘର ଘର ବୁଲି ପ୍ରଚାର, ରୋଡ୍ ସୋ, ସାଧାରଣ ସଭା ଏବଂ ଷ୍ଟାର ପ୍ରଚାରକଙ୍କ ସହ କାର୍ଯ୍ୟକ୍ରମ ରହିଛି। ଏହାକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରାଯାଇଥିଲା। ଏହି ସମୟରେ ମଦ ଓ ନଗଦ ଟଙ୍କା ବଣ୍ଟନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପୁଲିସ ଲଗାତାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଫଳରେ ଗତ ମାସରେ ଅପରାଧ ରେ ଯଥେଷ୍ଟ ହ୍ରାସ ଘଟିଥିଲା। ବିକ୍ଷିପ୍ତ ଘଟଣା ଘଟିଥିଲେ ମଧ୍ୟ କୌଣସି ବଡ଼ ଧରଣର ଅଘଟଣ ଘଟିନାହିଁ। ପିସିଆର୍ କଲ୍ ରେ ମଧ୍ୟ ଉଲ୍ଲେଖନୀୟ ହ୍ରାସ ଘଟିଛି।
ମତଦାନ ପୂର୍ବରୁ ମଦ ବଣ୍ଟନ କିମ୍ବା ନଗଦ ଟଙ୍କା ବଣ୍ଟନର କୌଣସି ରିପୋର୍ଟ ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ପୁଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ବିଭିନ୍ନ କ୍ଷେତ୍ରରେ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ଉପରେ ବିଶେଷ ଧ୍ୟାନ ଦିଆଯିବ। ଭୋଟରଙ୍କୁ ଭୟଭୀତ କିମ୍ବା ପ୍ରଲୋଭିତ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।