ଦୀର୍ଘ ୫ ଶତାବ୍ଦୀର ତ୍ୟାଗ, ସଂଘର୍ଷ ଓ ବଳିଦାନର ପୂର୍ଣ୍ଣାହୂତି ପଡ଼ି ସମଗ୍ର ହିନ୍ଦୁ ଜାତିର ଆରାଧ୍ୟ ଦେବତା ତଥା ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି। ତେବେ ପ୍ରତିଦିନ ସାରା ଦେଶରୁ ଅଯୋଧ୍ୟାକୁ ଛୁଟି ଆସୁଛନ୍ତି ଭକ୍ତ। ପ୍ରଭୁଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି।ସତରେ ପରିଣତ ହୋଇଛି ଅଗଣିତ ରାମଭକ୍ତଙ୍କ ବଜ୍ର ଶପଥ- ମନ୍ଦିର ୱହି ବନାଏଙ୍ଗେ । ତ୍ରେତୟା ଯୁଗରେ ଯେଉଁ ସ୍ଥାନରେ ପ୍ରଭୁ ଶ୍ରୀରାମଚନ୍ଦ୍ର କୌଶଲ୍ୟାଙ୍କ କୋଳମଣ୍ଡନ କରିଥିଲେ, ୫୦୦ ବର୍ଷ ପରେ ପୁଣି ସେହି ଆସ୍ଥାନରେ ପୂଜା ପାଇଛନ୍ତି ରାମଲାଲା ।
ପ୍ରତ୍ୟହ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ ପାଇଁ ଅପେକ୍ଷାରତ ଥିବା ବେଳେ ଅଯୋଧ୍ୟା ରାମ ମନ୍ଦିରକୁ ଆସୁଛନ୍ତି ସାରା ବିଶ୍ୱରୁ ଶ୍ରଦ୍ଧାଳୁ, ମିଳିବାରେ ଲାଗିଛି ସାରା ବିଶ୍ୱରୁ ଦାନ । ତେବେ ସୂଚନା ଅନୁଯାୟୀ ଗତ ୧୫ ଦିନରେ ୩୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଅଯୋଧ୍ୟାରେ ରାମଲାଲାଙ୍କୁ ଦର୍ଶନ କରିଛନ୍ତି । ପ୍ରତିଦିନ ହାରାହାରି ୨ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସୁଛନ୍ତି।
ସୂଚନାଯୋଗ୍ୟଯେ, ଉତ୍ତରପ୍ରଦେଶ ତଥା ଦେଶର କୋଣଅନୁକୋଣରୁ ଶ୍ରଦ୍ଧାଳୁ ପ୍ରତିଦିନ ଅଯୋଧ୍ୟାରେ ରାମଲାଲାଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି। ଭିଡ଼ ଯେମିତି ଦାନ ବି ସେ ଆକାରରେ ମିଳୁଛି । ମାତ୍ର ୧୫ ଦିନରେ ୧୨ କୋଟି ୮୦ ଲକ୍ଷ ଦାନ ମିଳି ସାରିଛି । ଜାନୁଆରୀ ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା ପରଠାରୁ ଦର୍ଶନ ପାଇଁ ଭକ୍ତଙ୍କ ଗହଣରେ ନାହିଁ ନଥିବା ଉତ୍ସାହ । ଏପରିକି ପ୍ରଥମ ଦିନ ସାଢ଼େ ୩ କୋଟି ଟଙ୍କା ଦାନ ମିଳିଥିଲା । ଦୈନିକ ଦେଢ଼ଲକ୍ଷ ଭକ୍ତଙ୍କୁ ଦର୍ଶନ କରାଇବାର ପ୍ରାଥମିକ ବ୍ୟବସ୍ଥା ରଖାଯାଇଥିଲେ ବି ଏ ସଂଖ୍ୟା ଦୁଇ ଗୁଣାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ତେଣୁ ଏଥିପାଇଁ ୮ହଜାରରୁ ଅଧିକ ଫୋର୍ସ ରାମ ମନ୍ଦିର ପାଇଁ ନିୟୋଜିତ କରାଯାଇଛି । ୟୁପି ପୋଲିସ୍ ସହ ରାପିଡ୍ ଆକ୍ସନ ଫୋର୍ସ, CRPF ଏବଂ ଅନ୍ୟ ପାରାମିଲିଟାରୀ ଫୋର୍ସ ମଧ୍ୟ ମୁତୟନ ହେଉଛନ୍ତି ।
ଅଧିକ ପଢନ୍ତୁ: ୨ ଦିନିଆ ୟୁଏଇ ଗସ୍ତରେ ମୋଦୀ