ନୂଆଦିଲ୍ଲୀ: ଭାରତୀୟ ଷ୍ଟାର କ୍ରିକେଟର ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ହଠାତ୍ ଟେଷ୍ଟ କ୍ରିକେଟରୁ ଅବସର ପରେ ଉଭୟ ୨୦୨୭ରେ ବିଶ୍ୱକପ୍ ଦଳରେ ସାମିଲ ହେବେ କି ନାହିଁ ତାହା କଳ୍ପନାଜଳ୍ପନା ବୃଦ୍ଧି ପାଇଛି। ଏବେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଏ ବିଷୟରେ ଏକ ବିବୃତ୍ତି ଦେଇ ଚିତ୍ର ସଫା କରିଛି। ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା କହିଛନ୍ତି ଯେ ଉଭୟ ଖେଳାଳି ୨୨୦୭ ରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ୍ ପାଇଁ ଉପଲବ୍ଧ।
ରୋହିତ ଶର୍ମା ଗତ ମେ’ ୭ରେ ଟେଷ୍ଟ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ, ଯେଉଁଥିରେ ସେ କହିଥିଲେ ଯେ ସେ ଦିନିକିଆ ଫର୍ମାଟରେ ଖେଳିବେ। ବିରାଟ କୋହଲି ମଧ୍ୟ ସମ୍ପ୍ରତି କହିଥିଲେ ଯେ ସେ ୨୦୨୭ ବିଶ୍ୱକପ୍ ପର୍ଯ୍ୟନ୍ତ ଖେଳିବାକୁ ଚାହାଁନ୍ତି। ଟି-୨୦ରୁ ଅବସର ନେଇସାରିଥିବା ଏହି ଦୁଇ ମହାରଥୀଙ୍କ ଦିନିକିଆ କ୍ୟାରିୟର ବିଷୟରେ ମଧ୍ୟ ବହୁତ ଆଲୋଚନା ହେଉଛି।
ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଲଣ୍ଡନରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ କହିଛନ୍ତି ଯେ ରୋହିତ ଏବଂ ବିରାଟ ଉଭୟ ଦିନିକିଆ ଖେଳିବା ପାଇଁ ଉପଲବ୍ଧ। ସେ କହିଛନ୍ତି, ଆମେ ସମସ୍ତେ ମଧ୍ୟ ରୋହିତ ଏବଂ ବିରାଟଙ୍କୁ ମିସ୍ କରୁଛୁ କିନ୍ତୁ ଅବସର ନେବାର ନିଷ୍ପତ୍ତି ସେମାନଙ୍କର ନିଜର ଥିଲା। ରାଜୀବ ଶୁକ୍ଳା କହିଛନ୍ତି, ଏହା ବିସିସିଆଇର ନୀତି ଯେ ଆମେ କେବେବି କୌଣସି ଖେଳାଳିଙ୍କୁ କହିବୁ ନାହିଁ ଯେ ସେ କେବେ ଏବଂ କେଉଁ ଫର୍ମାଟରୁ ଅବସର ନେବା ଉଚିତ। ଏହା ସମ୍ପୂର୍ଣ୍ଣ ଭାବରେ ଖେଳାଳିଙ୍କ ଉପରେ ନିର୍ଭର କରେ। ଟେଷ୍ଟରୁ ଅବସର ନେବାର ନିଷ୍ପତ୍ତି ଏହି ଉଭୟ ଖେଳାଳି ନିଜେ ନେଇଥିଲେ।
୩୬ ବର୍ଷୀୟ ବିରାଟ କୋହଲି ୩୦୨ ଦିନିକିଆରେ ୧୪୧୮୧ ରନ୍ କରିଛନ୍ତି, ଯେଉଁଥିରେ ୫୧ ଶତକ ଏବଂ ୭୪ ଅର୍ଦ୍ଧଶତକ ସାମିଲ ରହିଛି। ସେ ବିଶ୍ୱର ସର୍ବାଧିକ ଦିନିକିଆ ଶତକ ହାସଲକାରୀ। ଏହା ବ୍ୟତୀତ ସେ ଭାରତ ପାଇଁ ୧୨୩ ଟେଷ୍ଟ ଏବଂ ୧୨୫ ଟି-୨୦ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ତାଙ୍କର ଯଥାକ୍ରମେ ୯୨୩୦ ଏବଂ ୪୧୮୮ ରନ୍ ଅଛି।
ରୋହିତ ଶର୍ମା ୨୭୩ଟି ଦିନିକିଆ ଖେଳିଛନ୍ତି। ଏଥିରେ ତାଙ୍କର ୧୧୧୬୮ ରନ୍ ଅଛି। ଏହି ଫର୍ମାଟରେ ସେ ୩୨ ଶତକ ଏବଂ ୫୮ ଅର୍ଦ୍ଧଶତକ କରିଛନ୍ତି। ରୋହିତ ମଧ୍ୟ ଦିନିକିଆରେ ସର୍ବାଧିକ ବ୍ୟକ୍ତିଗତ ଇନିଂସ (୨୬୪) ଖେଳିଥିବା ବ୍ୟାଟସମ୍ୟାନ। ରୋହିତ ୬୭ ଟେଷ୍ଟ ଏବଂ ୧୫୯ ଟି-୨୦ ମ୍ୟାଚ୍ ରେ ଯଥାକ୍ରମେ ୪୩୦୧ ଏବଂ ୪୨୩୧ ରନ୍ କରିଛନ୍ତି। ତାଙ୍କ ଅଧିନାୟକତ୍ୱରେ, ଟିମ୍ ଇଣ୍ଡିଆ ୨୦୨୪ ଟି-୨୦ ବିଶ୍ୱକପ୍ ଏବଂ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଟାଇଟଲ୍ ଜିତିଛି।
ଅଧିକ ପଢ଼ନ୍ତୁ: ଆଭ୍ୟନ୍ତରୀଣ ଅଙ୍ଗ କାଢ଼ି ନେଲେ; ଅଭିଯୁକ୍ତ ଫେରାର୍