ଶ୍ରୀନଗର: ଜମ୍ମୁ-କଶ୍ମୀରବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ବୁଧବାର ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି। ଏହି ପର୍ଯ୍ୟାୟରେ ୨୬ଟି ଆସନରେ ମତଦାନ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିବ। ୨୩୯ ଜଣ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ସୀମାନ୍ତ ଜିଲ୍ଲା ରାଜୌରୀ ଓ ପୁଞ୍ଚ ସମେତ ଜମ୍ମୁର ରିଆସି ସମେତ କେନ୍ଦ୍ରୀୟ କଶ୍ମୀରର ତିନୋଟି ଜିଲ୍ଲା ଶ୍ରୀନଗର, ଗଣ୍ଡରବାଲ ଏବଂ ବଡଗାମକୁ ମଧ୍ୟ ଏହି ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରାଯାଇଛି। ଗତ ତିନି ବର୍ଷ ମଧ୍ୟରେ ଏହି ଅଞ୍ଚଳଗୁଡ଼ିକରେ ଅନେକ ଆତଙ୍କବାଦୀ ଆକ୍ରମଣ ହୋଇଛି।
ବିଜେପିର ଜମ୍ମୁ-କଶ୍ମୀର ୟୁନିଟ୍ ମୁଖ୍ୟ ରବୀନ୍ଦ୍ର ରାଇନା ରାଜୌରୀ ଜିଲ୍ଲାର ନୌଶେରା ଆସନରୁ ପୁଣି ଥରେ ନିର୍ବାଚନ ଲଢୁଛନ୍ତି। ଏହାବ୍ୟତୀତ ଦ୍ୱିତୀୟ ପର୍ଯ୍ୟାୟରେ ୫ ଜଣ ପୂର୍ବତନ ମନ୍ତ୍ରୀ ଓ ୧୦ ଜଣ ପୂର୍ବତନ ବିଧାୟକ ମଧ୍ୟ ମୈଦାନକୁ ଓହ୍ଲାଇଛନ୍ତି।
ଜମ୍ମୁ-କଶ୍ମୀରର ୨୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୩,୫୦୦ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ୧୩ ହଜାରରୁ ଅଧିକ ପୋଲିଂ କର୍ମଚାରୀ ଙ୍କୁ ନିୟୋଜିତ କରାଯାଇଛି। କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ପୁଲିସ, ସଶସ୍ତ୍ର ପୁଲିସ ଓ କେନ୍ଦ୍ରୀୟ ସଶସ୍ତ୍ର ଅର୍ଦ୍ଧସାମରିକ ବାହିନୀକୁ ମୁତୟନ କରାଯାଇଛି। ଦ୍ବିତୀୟ ପର୍ଯ୍ୟାୟ ମତଦାନ ଯେପରି ଭୟମୁକ୍ତ ପରିବେଶରେ ସମ୍ପନ୍ନ ହେବ ସେଥିପାଇଁ ପ୍ରତ୍ୟେକ ମତଦାନ କେନ୍ଦ୍ର ଚାରିପଟେ ବହୁସ୍ତରୀୟ ସୁରକ୍ଷା ବଳୟ ସୃଷ୍ଟି କରାଯାଇଛି।
ବୁଧବାର ମତଦାନ ଶେଷ ହେବା ପରେ ଯେଉଁ ଷ୍ଟ୍ରଙ୍ଗରୁମ୍ ଗୁଡ଼ିକରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)କୁ ସୁରକ୍ଷା ବ୍ୟବସ୍ଥାରେ ରଖାଯିବ ଏବଂ ସେମାନଙ୍କୁ ୨୪ ଘଣ୍ଟିଆ ଡିଜିଟାଲ୍ ନଜରରେ ରଖାଯିବ।
ଜମ୍ମୁ-କଶ୍ମୀରରେ ୩ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେଉଛି। ପ୍ରଥମ ପର୍ଯ୍ୟାୟରେ ସେପ୍ଟେମ୍ବର ୧୮ତାରିଖରେ ୨୪ଟି ବିଧାନସଭା ଆସନରେ ମତଦାନ ହୋଇଥିଲା। ବୁଧବାର ୨୬ଟି ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ଅକ୍ଟୋବର ପହିଲାରେ ୪୦ଟି ଆସନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ହେବ। ଅକ୍ଟୋବର ୮ତାରିଖରେ ଭୋଟ୍ ଗଣତି ହେବ।
ଅଧିକ ପଢ଼ନ୍ତୁ: ଓଡ଼ିଶାରୁ ଓହରିବନି JSW ଗ୍ରୁପର ଇଭି ପ୍ରକଲ୍ପ,