ନୂଆଦିଲ୍ଲୀ: ଓଡ଼ିଶାରୁ ଓହରିବନି ଜେଏସ୍ଡବ୍ଲୁ ଗ୍ରୁପର ଇଭି ଓ ବ୍ୟାଟେରୀ ପ୍ରକଲ୍ପ। ଏନେଇ ମଙ୍ଗଳବାର କମ୍ପାନିର ଜଣେ ବରିଷ୍ଠ ଅଧିକାରୀ ଇକୋନୋମିକ୍ସ ଟାଇମ୍ସକୁ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଖବର ପ୍ରକାଶ ପାଇଥିଲା ଯେ, ଟ୍ଵିନ ସିଟି ନରାଜରେ ପ୍ରସ୍ତାବିତ ପ୍ଲାଣ୍ଟ ମହାରାଷ୍ଟ୍ରକୁ ଚାଲିଯିବ।
୨୦୨୪ ଫେବ୍ରୁଆରୀ ୧୦ ତାରିଖରେ ବିଜେଡି ସରକାର ସମୟରେ JSW ଓଡ଼ିଶାରେ ଏକ ଇଲେକ୍ଟ୍ରିକ ଗାଡ଼ି ଓ ବ୍ୟାଟେରି ନିର୍ମାଣକାରୀ କାରଖାନା ସ୍ଥାପନ ନେଇ ଚୁକ୍ତି କରିଥିଲା। ଏଥିରେ କମ୍ପାନି ୪୦ ହଜାର କୋଟି ଟଙ୍କା ନିବେଶ କରିବ। ତେବେ କାମରେ ବିଳମ୍ବ ଯୋଗୁ କମ୍ପାନି ଏଠାରୁ ମହାରାଷ୍ଟ୍ରକୁ ଚାଲିଯିବ ବୋଲି ମଙ୍ଗଳବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ହେଲେ ଏବେ କମ୍ପାନି ପକ୍ଷରୁ ସ୍ପଷ୍ଟୀକରଣ ଆସି ଯାଇଛି, ଯାହା ଓଡ଼ିଶା ପାଇଁ ଆଶ୍ୱସ୍ତିର ଖବର ହୋଇଛି।
ଗଣମାଧ୍ୟମରେ ଖବର ପ୍ରକାଶ ହେବା ପରେ ଏନେଇ ଜେଏସଡବ୍ଲୁର କର୍ପୋରେଟ୍ ଷ୍ଟ୍ରାଟେଜୀ କାର୍ଯ୍ୟକାରୀ ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ରଞ୍ଜନ ନାୟକଙ୍କୁ ପ୍ରଶ୍ନ କରାଯାଇଥିଲା। ଜେଏସ୍ଡବ୍ଲୁ ଓଡ଼ିଶାରୁ ପ୍ରତ୍ୟାହାର ହେବ ନାହିଁ ବୋଲି ଶ୍ରୀ ନାୟକ କହିଥିଲେ। ସେ କହିଛନ୍ତି ଓଡ଼ିଶାରୁ ଇଭି ପ୍ଲାଣ୍ଟ ଓହରିବା ନେଇ କୌଣସି ଯୋଜନା କି ନିଷ୍ପତ୍ତି ହୋଇ ନାହିଁ।
କମ୍ପାନୀ ଓହରିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଓଡ଼ିଶା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, JSW ସହ ଆଲୋଚନା ଚାଲିଛି। ନିର୍ଣ୍ଣୟ ଆସିଲେ ଜଣାଯିବ। ସେମାନେ ଓଡ଼ିଶା ଛାଡ଼ିବା ସମ୍ପର୍କରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହାନ୍ତି। JSW ଇଭି ଆରମ୍ଭରେ ମଧ୍ୟ ବିଳମ୍ବ ହୋଇଛି। ପୂର୍ବ ସରକାରରେ କ’ଣ ହେଇଛି ସେନେଇ ଆମେ କଥା ବାର୍ତ୍ତା କରିବୁ। ଆମକୁ କୌଣସି ସୂଚନା ମିଳିନାହିଁ ବୋଲି ଶିଳ୍ପମନ୍ତ୍ରୀ କହିଛନ୍ତି।
ସମ୍ପଦ ସ୍ୱାଇଁ ଏହା ମଧ୍ୟ କହିଛନ୍ତି “ ପୂର୍ବ ସରକାର ସମୟରେ ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲେ ବି ସରକାର କମ୍ପାନିକୁ ଜମି ଦେଇ ନଥିଲେ। ବର୍ତ୍ତମାନ ଆମେ କମ୍ପାନି ସହ କଥା ହୋଇ ପ୍ଲାଣ୍ଟ ବସାଇବାକୁ ଚେଷ୍ଟା କରୁଛୁ। କମ୍ପାନୀ ଓଡ଼ିଶାରୁ ସ୍ଥାନାନ୍ତରିତ ହେବା ନେଇ ଆମକୁ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ପ୍ରୋଜେକ୍ଟ କାର୍ଯ୍ୟକାରୀରେ ବିଳମ୍ବ ହେଉଛି।”