ଅହମଦାବାଦ: ଗୁଜରାଟର ସାବରକାଣ୍ଠା ଜିଲ୍ଲାରେ ବୁଧବାର ପୂର୍ବାହ୍ଣରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଛି। କାରର ଯାତ୍ରୀମାନେ ଶ୍ୟାମଳା ଜୀ ମନ୍ଦିର ଦର୍ଶନ କରି ଅହମଦାବାଦ ଫେରୁଥିଲେ। ଏହି ସମୟରେ କାରଟି ଏକ ଟ୍ରକର ପଛରେ ଯାଇ ଶକ୍ତ ଧକ୍କା ଦେଇଥିଲା। ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯାତ୍ରୀ ଗୁରୁତର ହୋଇଛନ୍ତି।
ଦୁର୍ଘଟଣା ପରେ କାରର ଯାତ୍ରୀମାନଙ୍କୁ ବହୁ କଷ୍ଟରେ ବାହାର କରାଯାଇଛି। କାରକୁ କଟରରେ କାଟି ମୃତକମାନଙ୍କୁ ବାହାର କରାଯାଇଛି। କାର ଭିତରେ ମୋଟ ୮ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଛାଡ଼ି ବାକି ସମସ୍ତଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାସ୍ଥଳର ଫଟୋକୁ ଦେଖି ଅନୁମାନ କରାଯାଇପାରିବ ଯେ, ଦୁର୍ଘଟଣା କେତେ ଭୟଙ୍କର ଥିଲା।ଟ୍ରକ୍ ପଛରେ ପଶିଯିବା ପରେ କାରଟି ଫସି ଯାଇଥିଲା। ଏହାକୁ ବାହାର କରିବା ପାଇଁ ଅଗ୍ନିଶମର ସହାୟତା ନେବାକୁ ପଡ଼ିଥିଲା।
ଆଜି ସକାଳ ୬ଟାରେ ଘଟିଥିବା ଦୁର୍ଘଟଣା ନେଇ ପୁଲିସକୁ ସୂଚନା ଦିଆଯାଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିଛି। ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।
ଅଧିକ ପଢ଼ନ୍ତୁ: ଉତ୍ତର ପ୍ରଦେଶର ଦୁଇଟି ମଦ୍ରାସାରେ ଏଟିଏସ୍ ଚଢ଼ାଉ