ବେଙ୍ଗାଲୁରୁ: କର୍ଣ୍ଣାଟକ ସହ ଦେଶରେ ଚାଞ୍ଚଲ୍ୟ ଖେଳାଇଥିବା ମହାଲକ୍ଷ୍ମୀ ହତ୍ୟାକାଣ୍ଡରେ ତଦନ୍ତ ଜାରି ରହିଛି। ଅପରାଧର ମାଷ୍ଟର ମାଇଣ୍ଡ ଅଶରଫ ନାମକ ଜଣେ ବ୍ୟକ୍ତି ହୋଇଥିବା କୁହାଯାଉଛି । ପୋଲିସ ଅଶରଫର ସନ୍ଧାନରେ ରହିଛି । ଏହା ମଧ୍ୟରେ ଆଉ ଏକ ଖବର ଆସିଛି ଯେ, ମହିଳାଙ୍କ ହତ୍ୟାର ମୁଖ୍ୟ ସନ୍ଦିଗ୍ଧ ତାଙ୍କ ସହ କାମ କରୁଥିବା ଆଉ ଜଣେ ବ୍ୟକ୍ତି ହୋଇ ପାରନ୍ତି । ତେବେ ଏହାକୁ ନେଇ ପୋଲିସ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ । ଏ ପର୍ୟ୍ୟନ୍ତ ପୋଲିସ ମହିଳାଙ୍କ ସହକର୍ମୀଙ୍କ ପରିଚୟ ସାର୍ବଜନୀନ କରି ନାହିଁ । ମହାଲକ୍ଷ୍ମୀଙ୍କୁ ହତ୍ୟା କରିବା ପରେ ତାଙ୍କ ଶବକୁ ୫୦ ଖଣ୍ଡ କରି ଫ୍ରିଜରେ ରଖାଯାଇଥିଲା ।
ଜାତୀୟ ଗଣମାଧ୍ୟମରରେ ପ୍ରକାଶିତ ଖବର ଅନୁଯାୟୀ, ବେଙ୍ଗାଲୁରୁ ପୋଲିସ ମହାଲକ୍ଷ୍ମୀଙ୍କ ସହ କାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ମୁଖ୍ୟ ସନ୍ଦିଗ୍ଧ ବିବେଚନା କରିଛି । ଏହି ସନ୍ଦିଗ୍ଧଙ୍କ ନାଁ ମୁକ୍ତି ବୋଲି କୁହାଯାଉଛି । ଉଭୟ ମିଶି ଏକାଠି କାମ କରୁଥିଲେ । ତେବେ ମୁକ୍ତି ଅନ୍ୟ କାହା ସହ ମହାଲକ୍ଷ୍ମୀଙ୍କ ମିଳାମିଶାକୁ ବିରୋଧ କରୁଥିଲେ । ପୋଲିସ ଅଦ୍ୟାବଧି କୌଣସି ଆନୁଷ୍ଠାନିକ ସୂଚନା ଦେଇ ନାହିଁ ।
ପୋଲିସ ଅନୁଯାୟୀ, ମୁକ୍ତିର ଫୋନ ସୁଇଚ୍ ଅଫ ରହିଛି ଏବଂ ତାର ସନ୍ଧାନ ଜାରି ରହିଛି । ତାକୁ ଓଡିଶା-ପଶ୍ଚିମବଙ୍ଗ ସୀମାରେ ଖୋଜା ଯାଉଛି । ସେପ୍ଟେମ୍ବର ୨୩ ତାରିଖରେ ସାମ୍ବାଦିକ ସମ୍ମିଳନୀରେ କର୍ଣ୍ଣାଟକ ଗୃହ ମନ୍ତ୍ରୀ ଜି ପରମେଶ୍ୱର କହିଥିଲେ ଯେ, ମାମଲାର ମୁଖ୍ୟ ସନ୍ଦିଗ୍ଧ ଓଡିଶାର । କିନ୍ତୁ ଉକ୍ତ ବ୍ୟକ୍ତି ବେଙ୍ଗାଲୁରୁରେ ରହୁଥିଲେ ।
ମହାଲକ୍ଷ୍ମୀଙ୍କ ସ୍ୱାମୀ ହେମନ୍ତ ଦାସଙ୍କ କହିବା କଥା ତାଙ୍କ ପତ୍ନୀ ଅନେକ ମାସ ଧରି ଅଶରଫ ସହ ଥିଲେ ଏବଂ ଦୁହିଁଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା । ଅଶରଫ ମହାଲକ୍ଷ୍ମୀଙ୍କୁ ବ୍ଲାକମେଲ କରୁଥିଲା । ବୋଧହୁଏ ଏଥିପାଇଁ ସେ ମହାଲକ୍ଷ୍ମୀଙ୍କ ହତ୍ୟା କରିଥାଇପାରେ ।
ପୋଲିସକୁ ଗୋଟିଏ କଥା ବଡ ଆଶ୍ଚର୍ୟ୍ୟଚକିତ କରିଛି ଯେ, ଘରେ ରକ୍ତର ଗୋଟିଏ ବୁନ୍ଦାର ବି ଦାଗ ନାହିଁ । ମହାଲକ୍ଷ୍ମୀଙ୍କ ଖଣ୍ଡବିଖଣ୍ଡିତ ଶରୀର ତ ମିଳିଛି, କିନ୍ତୁ ରକ୍ତ ଟିକେ ଦାଗ ବି ଘରୁ ମିଳିନାହିଁ । ପୋଲିସ ଅନୁଯାୟୀ, ପ୍ରମାଣ ନଷ୍ଟ କରିବା ପାଇଁ ହତ୍ୟାକାରୀ ବହୁତ ଚାଲାକିର ସହ ରକ୍ତର ଦାଗ ପୁରା ସଫା କରି ଦେଇଛି । ଏଥିପାଇଁ କୌଣସି ରସାୟନିକ ଜିନିଷର ବ୍ୟବହାର କରାଯାଇଛି ।