ନ୍ୟୁୟର୍କ: ମିଳିତ ଜାତିସଂଘ ସାଧାରଣ ପରିଷଦର ୭୯ତମ ଅଧିବେଶନରେ ଯୋଗ ଦେବା ପାଇଁ ଆମେରିକାରେ ପହଞ୍ଚିଥିବା ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍ ସୋମବାର ବିଳମ୍ବିତ ରାତିରେ ନ୍ୟୁୟର୍କସ୍ଥିତ ତାଙ୍କ ହୋଟେଲ ବାହାରେ ବିକ୍ଷୋଭର ସମ୍ମୁଖୀନ ହୋଇଥିଲେ। ନ୍ୟୁୟର୍କର ସରକାରୀ ହୋଟେଲରେ ପହଞ୍ଚିବା ପୂର୍ବରୁ ବିକ୍ଷୋଭକାରୀମାନେ ମହମ୍ମଦ ୟୁନୁସଙ୍କ ବିରୋଧରେ 'ଫେରିଯାଅ' ସ୍ଲୋଗାନ ଦେଇଥିଲେ। ବାଂଲାଦେଶରେ ହିନ୍ଦୁଙ୍କ ସମେତ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ପାଇଁ ବିକ୍ଷୋଭକାରୀମାନେ ୟୁନୁସଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ।
ଯେତେବେଳେ ଭାରତୀୟ ଗଣମାଧ୍ୟମ ଦଳ ତାଙ୍କୁ ପ୍ରଶ୍ନ ପଚାରିବାକୁ ଚେଷ୍ଟା କରିଥିଲା, ସେ ତାହାର ଉତ୍ତର ଦେବାରୁ ଦୂରେଇ ରହିଥିଲେ। ଭାଇରାଲ ହେଉଥିବା ଭିଡିଓରେ ୟୁନୁସଙ୍କ ସୁରକ୍ଷାକର୍ମୀ ସାମ୍ବାଦିକମାନଙ୍କୁ ଦୂରେଇ ରଖିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ବିକ୍ଷୋଭକାରୀମାନେ 'ୟୁନୁସ୍ ଫେରିଯାଅ, ଇସ୍ତଫା ଦିଅ' ଭଳି ସ୍ଲୋଗାନ ଦେଇଥିଲେ। ସେମାନେ ବ୍ୟାନର ଧରିଥିଲେ ଯେଉଁଥିରେ ଲେଖାଥିଲା ଯେ ଶେଖ୍ ହସିନା ଆମର ପ୍ରଧାନମନ୍ତ୍ରୀ।
ଅନ୍ୟ ଜଣେ ବିକ୍ଷୋଭକାରୀ ଡିଏମ୍ ରୋନାଲ୍ଡ କହିଛନ୍ତି, ଆମେ ଶାନ୍ତି ଚାହୁଁଛୁ। ଆମେ ଧର୍ମନିରପେକ୍ଷ ଗଣତନ୍ତ୍ରରେ ବିଶ୍ୱାସ କରୁ। ବଳପୂର୍ବକ କ୍ଷମତା ହାସଲ କରିବା ପରେ ସେମାନେ ହିନ୍ଦୁ ଓ ଖ୍ରୀଷ୍ଟିଆନଙ୍କୁ ହତ୍ୟା କରିବା ଆରମ୍ଭ କରିଛନ୍ତି।
ଅନ୍ୟପକ୍ଷରେ ବାଂଲାଦେଶର ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତୌହିଦ ହୁସେନ୍ କହିଛନ୍ତି ଯେ ବାଂଲାଦେଶରେ ହିନ୍ଦୁମାନେ ଦେଶର ନାଗରିକ ଏବଂ ଅନ୍ତରୀଣ ସରକାର ଦେଶର ନାଗରିକଙ୍କ ସୁରକ୍ଷା ପାଇଁ ଯଥାସମ୍ଭବ ପ୍ରୟାସ କରୁଛନ୍ତି। ସେ କହିଛନ୍ତି ଯେ ଯାହା ବି ହିଂସା ଘଟିଛି ତାହାହିନ୍ଦୁଙ୍କ ବିରୋଧରେ ହିଂସା ବୋଲି ଦର୍ଶାଯାଉଛି, ଏହା ଠିକ୍ ନୁହେଁ।
ଅଧିକ ପଢ଼ନ୍ତୁ: ପୁଟିନ ପରମାଣୁ ବୋମା ଆକ୍ରମଣ କଲେ ସୃଷ୍ଟି ହେବ ବଡ଼ ବିପର୍ଯ୍ୟୟ?