ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ସୋମବାର ରୁଷିଆ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ସେ ଗୋଷ୍ଠୀର ନେତା ଏବଂ ଅନ୍ୟ ନିମନ୍ତ୍ରିତ ଅତିଥିମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ଋଷ ଯାଉଛନ୍ତି। ଚଳିତ ବର୍ଷ ଏହା ତାଙ୍କର ଦ୍ବିତୀୟ ରୁଷିଆ ଗସ୍ତ।
ଅକ୍ଟୋବର ୨୨ ଓ ୨୩ରେ ରୁଷିଆର କାଜାନ ସହରରେ ବ୍ରିକ୍ସ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ସଂଗଠନର ସମ୍ପ୍ରସାରଣ ପରେ ଏହା ହେଉଛି ପ୍ରଥମ ଶିଖର ସମ୍ମିଳନୀ। ବ୍ରିକ୍ସ ହେଉଛି ବିଶ୍ୱର ପ୍ରମୁଖ ଉଦୀୟମାନ ଅର୍ଥନୀତିକୁ ଏକାଠି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଗୋଷ୍ଠୀ। ଇଜିପ୍ଟ, ଇରାନ, ଇଥିଓପିଆ ଏବଂ ୟୁଏଇ ଏହି ସଂଗଠନରେ ସାମିଲ ହୋଇଥିଲେ। ଭାରତରେ ରୁଷ୍ ରାଷ୍ଟ୍ରଦୂତ ଡେନିସ୍ ଆଲିପୋଭ କହିଛନ୍ତି ଯେ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅନ୍ୟ ୪୦ ଜଣ ନେତାଙ୍କୁ ସ୍ୱାଗତ କରିବାକୁ ତାଙ୍କ ଦେଶ ଅପେକ୍ଷା କରିଛି।
ଏପି ଅନୁଯାୟୀ ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲଭା ନିଜ ଘରେ ଏକ ଦୁର୍ଘଟଣାରେ ବେକରେ ଆଘାତ ଲାଗିବାରୁ ବ୍ରିକ୍ସ ଶିଖର ସମ୍ମିଳନୀକୁ ଯିବା ପାଇଁ ତାଙ୍କର ରୁଷିଆ ଗସ୍ତ ବାତିଲ କରିଛନ୍ତି। ଆର୍ଜେଣ୍ଟିନା ଓ ସାଉଦି ଆରବକୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା, କିନ୍ତୁ ସରକାର ପରିବର୍ତ୍ତନ ପରେ ସାଉଦି ଆରବ ଏହାକୁ ପ୍ରତ୍ୟାଖ୍ୟାନ କରିଥିବା ବେଳେ ସାଉଦି ଆରବ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ।
ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ କାଜାନରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରତିନିଧିମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାର ସମ୍ଭାବନା ରହିଛି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ୟୁରି ଉଷାକୋଭଙ୍କ କହିବା ନୁଯାୟୀ, କାଜାନରେ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ୨୪ଟି ଦେଶର ନେତା ଏବଂ ସମୁଦାୟ ୩୨ଟି ଦେଶର ପ୍ରତିନିଧି ଦଳ ଯୋଗଦେବେ, ଯାହା ରୁଷିଆରେ ଅନୁଷ୍ଠିତ ସର୍ବବୃହତ ବୈଦେଶିକ ନୀତି କାର୍ଯ୍ୟକ୍ରମ ହେବ।
ବିଶ୍ଵଜନସଂଖ୍ୟାର ୪୧ ପ୍ରତିଶତ, ବିଶ୍ୱ ଜିଡିପିର ୨୪ ପ୍ରତିଶତ ଏବଂ ବିଶ୍ୱ ବାଣିଜ୍ୟର ୧୬ ପ୍ରତିଶତରୁ ଅଧିକ ଅନ୍ତର୍ଭୁକ୍ତ ବିଶ୍ୱର ପ୍ରମୁଖ ଉଦୀୟମାନ ଅର୍ଥନୀତିକୁ ଏକାଠି କରିବା ପାଇଁ ବ୍ରିକ୍ସ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଗୋଷ୍ଠୀ।
ସେପ୍ଟେମ୍ବର ୨୦୧୦ରେ ନ୍ୟୁୟର୍କରେ ବ୍ରିକ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଦକ୍ଷିଣ ଆଫ୍ରିକାକୁ ପୂର୍ଣ୍ଣ ସଦସ୍ୟ ଭାବରେ ଗ୍ରହଣ କରାଯିବା ପରେ ବ୍ରିକ୍ ଗୋଷ୍ଠୀର ନାମ ବ୍ରିକ୍ସ (ବ୍ରାଜିଲ, ରୁଷିଆ, ଭାରତ, ଚାଇନା, ଦକ୍ଷିଣ ଆଫ୍ରିକା) ରଖାଯାଇଥିଲା।
ଅଧିକ ପଢ଼ନ୍ତୁ: ବିଜେଡିକୁ ଭୂପିନ୍ଦରଙ୍କ ତେରଚ୍ଛା ବାଣ