ଲକ୍ଷ୍ନୌ: ପୁଲିସ ସ୍ମୃତି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଲିସ କର୍ମଚାରୀଙ୍କୁ ଦୀପାବଳି ଉପହାର ଦେଇଛନ୍ତି। ସିଏମ ଯୋଗୀ ପୁଲିସର ୟୁନିଫର୍ମ ଭତ୍ତାରେ ୭୦ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। ଏଥିପାଇଁ ୫୮ କୋଟି ଟଙ୍କାର ବ୍ୟୟ ବୋଝ ପଡ଼ିବ। ଏହି ଅବସରରେ ସିଏମ ଯୋଗୀ ସହିଦ ରୋହିତ କୁମାର ଏବଂ ସଚିନ ରାଠୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ମୁଖ୍ୟମନ୍ତ୍ରୀ ଯୋଗୀ ଲକ୍ଷ୍ନୌ ପୁଲିସ ଲାଇନରେ ସହିଦ ପୁଲିସ କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏଥିସହ ପୁଲିସ କର୍ମଚାରୀଙ୍କ ୟୁନିଫର୍ମ ଭତ୍ତା ୭୦ ପ୍ରତିଶତ ବୃଦ୍ଧି କରିବାକୁ ସେ ଘୋଷଣା କରିଛନ୍ତି। କୁଶଳୀ କ୍ରୀଡ଼ାବିତ୍ଙ୍କ ପାଇଁ ଆର୍ଥିକ ସହାୟତା ୭୦ ଲକ୍ଷରୁ ୧୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ନୂତନ ବହୁମହଲା ଆବାସିକ କୋଠାଗୁଡ଼ିକର ଉଠାଣ ଓ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ ପାଇଁ ୧୩୮୦ କୋଟି ଟଙ୍କାର କର୍ପସ ପାଣ୍ଠି ଘୋଷଣା କରିଛନ୍ତି। ସେ ବ୍ୟାରେକରେ ରହୁଥିବା ପୁଲିସ କର୍ମଚାରୀଙ୍କ ଆବାସିକ ଭତ୍ତା ପାଇଁ ୪୭ କୋଟି ଟଙ୍କା ଘୋଷଣା କରିଛନ୍ତି। ଏହାଦ୍ୱାରା ୨୫ ପ୍ରତିଶତ ପୁଲିସ କର୍ମଚାରୀ ଉପକୃତ ହେବେ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ସମାଜ ଓ ଦେଶ ସେବା ପାଇଁ ଯେଉଁମାନେ ନିଜ ଜୀବନକୁ ବଳିଦାନ ଦେଇ ଅତୁଳନୀୟ କର୍ତ୍ତବ୍ୟ ଦେଖାଇଛନ୍ତି, ମୁଁ ଏହି ଅବସରରେ ସମସ୍ତ ସହିଦ ପୁଲିସ କର୍ମୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଆମର ବୀର ପୁଲିସ କର୍ମଚାରୀଙ୍କ ଏହି ସର୍ବୋଚ୍ଚ ବଳିଦାନ ଆମକୁ ପୂର୍ଣ୍ଣ ନିଷ୍ଠା ଏବଂ ଦାୟିତ୍ୱବୋଧ ସହିତ କର୍ତ୍ତବ୍ୟ ପଥରେ ଆଗକୁ ବଢିବାକୁ ପ୍ରେରଣା ଯୋଗାଇବ।
ଅଧିକ ପଢ଼ନ୍ତୁ: ମେସ୍ରେ ଶ୍ରମିକଙ୍କ ଭୋଜନ ସମୟରେ ପ୍ରବେଶ କରିଥିଲେ ଆତଙ୍କବାଦୀ