ଓଡ଼ିଶା ଇତିହାସରେ ବାତ୍ୟାର କାହାଣୀ ଓଡ଼ିଶାରେ ମାଡ଼ ହେବାକୁ ଯାଉଛି ବାତ୍ୟା ‘ଦାନା’ । କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଧିରେ ଧିରେ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶା ସ୍ଥଳ ଭାଗ ଛୁଇଁବାର ଆକଳନ କରାଯାଇଛି । ପୁରୀରୁ ସାଗର ଦୀପ ମଧ୍ୟରେ ମାଡ଼ ହେବ ଦାନା । ଏହାର ପ୍ରଭାବରେ ରାଜ୍ୟରେ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବା ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସମସ୍ତ ଦିଗରୁ ସଜାଗ ହୋଇଛନ୍ତି । ଜିରୋ କାଜୁଆଲଟି ଉପରେ ସରକାରଙ୍କ ଫୋକସ୍ । ଏନଡିଆରଏଫ୍ ଏବଂ ଓଡ୍ରାଫ ଟିମ୍ ପ୍ରସ୍ତୁତ ହୋଇଥିବାବେଳେ ବାତ୍ୟା ଆଶ୍ରୟ ସ୍ଥଳଗୁଡିକୁ ପ୍ରସ୍ତୁତ କରାଯାଇଛି ।
ତେବେ ଓଡ଼ିଶା ପାଇଁ ବାତ୍ୟା ଖବର କିଛି ନୂଆ ନୁହେଁ । ଓଡ଼ିଶା ପ୍ରତ୍ୟେକ ବର୍ଷ ଅନେକ ଛୋଟ ବଡ଼ ବାତ୍ୟାର ସମ୍ମୁଖୀନ କରିଆସୁଛି । ସତେ ଯେମିତି ଏ ଅକ୍ଟୋବର ମାସଟା ଓଡ଼ିଶା ପାଇଁ ଏକ ଅଶୁଭ ମାସ । ତେବେ ଆସନ୍ତୁ ନଜର ପକାଇବା ଓଡ଼ିଶା ଦେଖିଥିବା କିଛି ବାତ୍ୟାର ରିପୋର୍ଟ ଉପରେ ।
୧୯୯୯ ମହାବାତ୍ୟା
ଏହା ଥିଲା ଓଡ଼ିଶା ଇତିହାସର ସବୁଠାରୁ ବଡ଼ ବାତ୍ୟା । ଭାରତ ମହାସାଗରର ଏହା ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ଝଡ଼ର ମାନ୍ୟତା ପାଇଛି । ମହାବାତ୍ୟା କଥା ମନେ ପଡ଼ିଲେ ଲୋମ ଟାଙ୍କୁରି ଉଠେ । ୧୯୯୯ ମସିହା ଅକ୍ଟୋବର ୨୯ରେ ଜଗତସିଂପୁରରେ ମାଡ଼ ହୋଇଥିଲା ଏହି ମହାବାତ୍ୟା, ଆଉ ରଚିଥିଲା ତାଣ୍ଡବ । ଘଣ୍ଟା ପ୍ରତି ବହିଥିଲା ୩୦୦ କିଲୋମିଟରରୁ ଅଧିକ ବେଗରେ ପବନ । ଛାରଖାର ହୋଇ ଯାଇଥିଲା ଉପକୂଳ, ଭାଙ୍ଗି ଦେଇଥିଲା ଓଡିଶାର ଆର୍ଥିକ ମେରୁଦଣ୍ଡ । ନିଶ୍ଚିନ୍ନ ହୋଇଯାଇଥିଲା କାହିଁ କେତେ ପରିବାର । ସରକାରୀ ରିପୋର୍ଟ ଅନୁସାରେ ପ୍ରାଣ ହରାଇଥିଲେ ପ୍ରାୟ ୧୦ ହଜାର ଲୋକ । ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଥିଲା ଜଗତସିଂହପୁର । ଯୁଆଡ଼େ ଚାହିଁଲେ ଖାଲି ଶବ ହିଁ ଶବ ଦିଶୁଥିଲା । ସେହି କାଳ ରାତିର କରାଳ ରୂପ ଏବେବି ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରୁଛି ।
୨୦୧୩ର ଫାଇଲିନ
ସେହିପରି ୨୦୧୩ ମସିହା ଅକ୍ଟୋବର ୧୨ ତାରିଖରେ ଓଡିଶା ଉପକୂଳରେ ତାଣ୍ଡବ ରଚିଥିବା ଅନ୍ୟତମ ବାତ୍ୟା ଥିଲା ‘ଫାଇଲିନ’ । ୧୯୯୯ ମହାବାତ୍ୟା ତୁଳନାରେ ପ୍ରଭାବ କମ୍ ଥିଲେ ମଧ୍ୟ ୨୫୦ କିଲୋମିଟର ବେଗରେ ପବନ ବହିଥିଲା । କିନ୍ତୁ ଗଣମାଧ୍ୟମର ପ୍ରଚାର ପ୍ରସାର, ସରକାରଙ୍କ ବାତ୍ୟା ମୁକାବିଲା ପଦକ୍ଷେପ ଯୋଗୁଁ କମ ଲୋକ ପ୍ରାଣ ହରାଇଥିଲେ ।
୨୦୧୪ ହୁଡ଼ହୁଡ଼
ଫାଇଲିନର ପର ବର୍ଷ ଆସିଥିଲା ହୁଡ଼ହୁଡ଼ । ସେହି ସମାନ ତାରିଖ ଅର୍ଥାତ ୨୦୧୪ ମସିହା ଅକ୍ଟୋବର ୧୨ ତାରିଖରେ ଲ୍ୟାଣ୍ଡଫଲ କରିଥିଲା ହୁଡୁହୁଡ । ଏହା ଆନ୍ଧ୍ରର ଉପକୂଳ ସହର ବିଶାଖାପାଟନମରେ ଲ୍ୟାଣ୍ଡଫଲ କରିଥିଲା । ଏଥିରେ ଦକ୍ଷିଣ ଓଡ଼ିଶାର କୋରାପୁଟ ଓ ଗଜପତି ଜିଲ୍ଲା ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା ।
୨୦୧୮ ତିତିଲି
ପୁଣି ଥରେ ୨୦୧୮ରେ ଆଉ ଏକ ସାମୁଦ୍ରିକ ଝଡ଼ର ସାମ୍ନା କରିଥିଲା ଓଡ଼ିଶା । ଯାହାର ନାମ ରଖାଯାଇଥିଲା ତିତିଲି । ୨୦୧୮, ଅକ୍ଟୋବର ୧୧ ତାରିଖରେ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡିଶାର ଉପକୂଳ ଅତିକ୍ରମ କରିଥିଲା ତିତିଲି । ଏଥିରେ ଉଭୟ ରାଜ୍ୟର ପ୍ରାୟ ୭୭ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଏ । ଓଡିଶାର ଗଞ୍ଜାମ ଜିଲ୍ଲା ବାସିନ୍ଦା ଏହାର ଉଗ୍ର ରୂପ ଦେଖିଥିଲେ ।
ସେହିପରି ୨୦୧୯ ମେ ମାସରେ ଆସିଥିଲା ବାତ୍ୟା ଫନି ଓ ତା ପରେ ଆସିଥିଲା ବୁଲବୁଲ । ୨୦୨୦ ଏପ୍ରିଲରେ ଅମ୍ଫାନ୍, ୨୦୨୧ରେ ଗୁଲାବ, ଜୱାଦ ଓ ୟାସ୍ ଏବଂ ୨୦୨୨ରେ ଆସିଥିଲା ଆସାନୀ ।