ନୂଆଦିଲ୍ଲୀ: ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ କରିବା ପାଇଁ ସମ୍ବିଧାନ (୧୨୯ତମ ସଂଶୋଧନ) ବିଲ୍ ମଙ୍ଗଳବାର ସଂସଦରେ ଉପସ୍ଥାପିତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହାକୁ ଉଭୟ ଗୃହର ମିଳିତ କମିଟିକୁ ପଠାଯାଇପାରିବ।
କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ବିଲ୍ ଆଗତ କରିପାରନ୍ତି ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି। ଏହାପରେ ସେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଅନୁରୋଧ କରିବେ ଯେ ଏହି ବିଲ୍କୁ ବ୍ୟାପକ ବିଚାର ବିମର୍ଶ ପାଇଁ ଏକ ଯୁଗ୍ମ ସଂସଦୀୟ କମିଟିକୁ ପଠାଇ ଦିଅନ୍ତୁ। ବିଭିନ୍ନ ଦଳର ସାଂସଦଙ୍କ ସଂଖ୍ୟା ଆଧାରରେ ଏହି କମିଟି ଗଠନ କରାଯିବ।
ସଂସଦୀୟ ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ନ ହେବା ଭଳି ପରିସ୍ଥିତି ସୃଷ୍ଟି କରିବାକୁ ମଧ୍ୟ ଏହି ବିଲ୍ରେ ବ୍ୟବସ୍ଥା କରାଯାଇଛି। ବିଲ୍ର ଧାରା ୨ର ଉପଧାରା ୫ ଅନୁଯାୟୀ, ଯଦି ଲୋକସଭା ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ହୋଇପାରିବ ନାହିଁ ବୋଲି ନିର୍ବାଚନ ଆୟୋଗ ମତ ଦିଅନ୍ତି, ତେବେ ପରବର୍ତ୍ତୀ ସମୟରେ ଉକ୍ତ ବିଧାନସଭା ନିର୍ବାଚନ ହୋଇପାରିବ ବୋଲି ଆଦେଶ ଜାରି କରିବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିପାରନ୍ତି।
ଏହି ବିଲ୍ରେ ଧାରା ୮୨ଏ (ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଏକାସାଙ୍ଗରେ) ସମ୍ବିଧାନରେ ସାମିଲ କରିବାକୁ ବ୍ୟବସ୍ଥା ରହିଛି। ଧାରା ୮୩ (ସଂସଦର ଗୃହର କାର୍ଯ୍ୟକାଳ), ୧୭୨ (ରାଜ୍ୟ ବିଧାନସଭାର କାର୍ଯ୍ୟକାଳ) ଏବଂ ୩୨୭ (ବିଧାନସଭା ନିର୍ବାଚନ ସମ୍ବନ୍ଧୀୟ ବ୍ୟବସ୍ଥା କରିବା ପାଇଁ ସଂସଦର କ୍ଷମତା) ସଂଶୋଧନ କରାଯିବ।
ଏହି ବିଲ୍ରେ ଏହା ମଧ୍ୟ ବ୍ୟବସ୍ଥା କରାଯାଇଛି ଯେ ସାଧାରଣ ନିର୍ବାଚନ ପରେ ଲୋକସଭାର ପ୍ରଥମ ଅଧିବେଶନ ଆଇନରେ ପରିଣତ ହେବା ପରେ ରାଷ୍ଟ୍ରପତି ଏକ ବିଜ୍ଞପ୍ତି ଜାରି କରିବେ ଏବଂ ବିଜ୍ଞପ୍ତି ଜାରି ତାରିଖକୁ ନିର୍ଦ୍ଧାରିତ ତାରିଖ କୁହାଯିବ। ସେହି ଦିନଠାରୁ ଲୋକସଭାର କାର୍ଯ୍ୟକାଳ ୫ ବର୍ଷ ହେବ।