ଟୋକିଓ: ଜାପାନରେ ପ୍ରଧାନମନ୍ତ୍ରୀ ସାନାଏ ତାକାଏଚିଙ୍କ ନେତୃତ୍ୱରେ ଲିବରାଲ ଡେମୋକ୍ରାଟିକ୍ ପାର୍ଟି (ଏଲ୍ଡିପି) ଏକ ରେକର୍ଡ ଭାଙ୍ଗି ବିଜୟ ସହିତ କ୍ଷମତାକୁ ଫେରିଛି। ଶାସକ ଦଳ ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ଦୁଇ-ତୃତୀୟାଂଶ ବହୁମତ ହାସଲ କରିଛି। ଜାପାନୀ ଗଣମାଧ୍ୟମ ପ୍ରାରମ୍ଭିକ ଫଳାଫଳକୁ ଉଦ୍ଧୃତ କରି ଏହା ରିପୋର୍ଟ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି।
ସଂସଦୀୟ ନିର୍ବାଚନରେ ବିଜୟରେ ଜାପାନ ପ୍ରଧାନମନ୍ତ୍ରୀ ସାର୍ବଜନୀନ ଟେଲିଭିଜନ ନେଟୱାର୍କ ଏନଏଚକେ ସହିତ ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କର ଧ୍ୟାନ ଏପରି ନୀତିଗୁଡ଼ିକୁ ଆଗକୁ ବଢାଇବା ଉପରେ ରହିବ ଯାହା ଜାପାନକୁ ଆହୁରି ବିକାଶ ଏବଂ ମଜବୁତ କରିବ। ତାଙ୍କ ବିଜୟ ପରେ ତାକାଏଚି ଏଲ୍ଡପି ମୁଖ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ସେ ତାଙ୍କର ବିଜୟ ପାଳନ କରିଥିଲେ। ତାକାଏଚି ଆଶା କରିଥିଲେ ଯେ ତାଙ୍କର ଦଳ ଏହାର ନୂତନ ସହଯୋଗୀ ଜାପାନ ଇନୋଭେସନ୍ ପାର୍ଟି ସହିତ ଏହି ନିର୍ବାଚନରେ ବହୁମତ ହାସଲ କରିବ। କିନ୍ତୁ ବିରୋଧୀ ଦଳଗୁଡ଼ିକର ନୂତନ ମେଣ୍ଟ ଶାସକ ଲିବରାଲ ଡେମୋକ୍ରାଟିକ୍ ପାର୍ଟି ପାଇଁ କୌଣସି ଚ୍ୟାଲେଞ୍ଜ ସୃଷ୍ଟି କରିବାରେ ବିଫଳ ହୋଇଥିଲା।
ଏନ୍ଏଚ୍କେ ଅନୁଯାୟୀ ସାନାଏ ତାକାଇଚିଙ୍କ ଲିବରାଲ ଡେମୋକ୍ରାଟିକ୍ ପାର୍ଟି ସୋମବାର ସକାଳ ସୁଦ୍ଧା ୩୧୬ ଆସନ ଜିତିଛି, ଯାହା ଜାପାନର ୪୬୫ ସଦସ୍ୟ ବିଶିଷ୍ଟ ନିମ୍ନ ସଦନରେ ୨୬୧ ଆସନ ବିଶିଷ୍ଟ ବହୁମତ ସଂଖ୍ୟାଗରିଷ୍ଠତାକୁ ସହଜରେ ଅତିକ୍ରମ କରିଛି। ୧୯୫୫ ମସିହାରେ ପ୍ରତିଷ୍ଠା ହେବା ପରଠାରୁ ଏହା ପ୍ରଥମ ଥର ପାଇଁ ଲିବରାଲ ଡେମୋକ୍ରାଟିକ୍ ପାର୍ଟି ଏପରି ସମର୍ଥନ ହାସଲ କରିଛି। ପୂର୍ବରୁ ଦିବଂଗତ ପ୍ରଧାନମନ୍ତ୍ରୀ ୟାସୁହିରୋ ନାକାସୋନେ ୧୯୮୬ରେ ୩୦୦ ଆସନ ଜିତିଥିଲେ।
ତାକାଇଚି କହିଥିଲେ ଯେ ସେ ବିରୋଧୀ ଦଳଗୁଡ଼ିକଠାରୁ ସମର୍ଥନ ପାଇବା ସହିତ ତାଙ୍କର ନୀତି ଏବଂ ଯୋଜନାକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରିବେ। ତାକାଇଚିଙ୍କ ଲୋକପ୍ରିୟତା ଅକ୍ଷୁର୍ଣ୍ଣ ରହିଛି, କିନ୍ତୁ ସାତ ଦଶନ୍ଧି ଧରି ଜାପାନରେ ଶାସନ କରୁଥିବା ବର୍ତ୍ତମାନର ଶାସକ ଦଳ, ଏଲଡିପି ସାମ୍ପ୍ରତିକ ବର୍ଷଗୁଡ଼ିକରେ ପାଣ୍ଠି ଏବଂ ଧାର୍ମିକ ଦୁର୍ନୀତି ସହିତ ସଂଘର୍ଷ କରିଛି। ତାକାଇଚି କ୍ଷମତାକୁ ଆସିବାର ମାତ୍ର ତିନି ମାସ ପରେ ଆଗୁଆ ନିର୍ବାଚନ ଡାକିବାକୁ ନିଷ୍ପତ୍ତି ନେଇଥିଲେ, ତାଙ୍କ ଲୋକପ୍ରିୟତାର ଶୀର୍ଷରେ ଥିବା ସମୟରେ ପରିସ୍ଥିତିରେ ଉନ୍ନତି ଆଣିବା ଆଶାରେ।
ଅଧିକ ପଢ଼ନ୍ତୁ: ଶୀତ ପୁଣି ଫେରିବ! ତୁଷାରପାତ ସହ ବର୍ଷା ସତର୍କତା ଜାରି