ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନିଙ୍କୁ କଡ଼ା ଜବାବ ଦିଆଯାଇଛି। ସୋମବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତି ଜାରି କରି କହିଛି ଯେ ଭାରତ ବିରୋଧରେ କୌଣସି ମନ୍ତବ୍ୟ ଦେବା ପୂର୍ବରୁ ଇରାନକୁ ପ୍ରଥମେ ନିଜ ଘର ପଛପଟକୁ ଦେଖିବାର ଆବଶ୍ୟକତା ରହିଛି। ନିକଟରେ ଏକ ସୋସିଆଲ ମିଡିଆ ପୋଷ୍ଟରେ ଅଲ୍ଲୀ ଖାମେନି ଭାରତକୁ ସମାଲୋଚନା କରିଥିଲେ। ସେ ଭାରତକୁ ସେହି ଦେଶ ବର୍ଗରେ ରଖିଥିଲେ ଯେଉଁଠାରେ ମୁସଲମାନମାନେ ଅତ୍ୟାଚାରର ଶିକାର ହେଉଛନ୍ତି। ଏହି ସମୟରେ ସେ ସମଗ୍ର ବିଶ୍ୱର ମୁସଲମାନମାନଙ୍କୁ ମୁସଲମାନ ଜନସଂଖ୍ୟାକୁ ସୁରକ୍ଷା ଦେବା ପାଇଁ ଏକଜୁଟ ହେବାକୁ ନିବେଦନ କରିଥିଲେ।
ଆୟାତୋଲ୍ଲା ଅଲ୍ଲୀ ଖାମେନି ତାଙ୍କ ପୋଷ୍ଟରେ ମିଆଁମାର ଏବଂ ଗାଜା ସହିତ ଭାରତକୁ ଗଣନା କରିଥିଲେ, ଯାହାକୁ ସେ ନିଜେ ସୁନ୍ନି ମୁସଲମାନ ଏବଂ ଜାତିଗତ ସଂଖ୍ୟାଲଘୁଙ୍କ ଉପରେ ଦମନ ପାଇଁ ବିଶ୍ୱବ୍ୟାପୀ ସମାଲୋଚନାର ସମ୍ମୁଖୀନ ହୋଇଥିବା ବେଳେ ଏହି ମନ୍ତବ୍ୟ ଦେଇଥିଲେ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଏଭଳି ମନ୍ତବ୍ୟ ଦେବା ପୂର୍ବରୁ ଇରାନ ନିଜ ରେକର୍ଡ ଯାଞ୍ଚ କରିବା ଉଚିତ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ଭାରତର ମୁସଲମାନମାନଙ୍କୁ ନେଇ ଇରାନର ସର୍ବୋଚ୍ଚ ନେତା ଦେଇଥିବା ମନ୍ତବ୍ୟକୁ ଆମେ ଦୃଢ଼ ନିନ୍ଦା କରୁଛୁ। ଏହା ଭୁଲ ସୂଚନା ଉପରେ ଆଧାରିତ ଏବଂ ଗ୍ରହଣୀୟ ନୁହେଁ। ସଂଖ୍ୟାଲଘୁଙ୍କ ଉପରେ ମନ୍ତବ୍ୟ ଦେଉଥିବା ଦେଶଗୁଡ଼ିକୁ ପ୍ରଥମେ ନିଜ ଭିତରେ ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି।
ମାନବାଧିକାର ପ୍ରସଙ୍ଗରେ ଇରାନକୁ ସମଗ୍ର ବିଶ୍ୱରେ ବ୍ୟାପକ ସମାଲୋଚନା କରାଯାଉଛି, ସୁନ୍ନି ମୁସଲମାନ, ଜାତିଗତ ସଂଖ୍ୟାଲଘୁ ଏବଂ ମହିଳାମାନଙ୍କ ବିରୋଧରେ ସର୍ବାଧିକ ମାମଲା ରୁଜୁ ହୋଇଛି। ଇରାନରେ ସଂଖ୍ୟାଲଘୁ ସୁନ୍ନି ମୁସଲମାନମାନଙ୍କୁ ଦେଶର ମୁଖ୍ୟ ସହର ତେହେରାନରେ ମସଜିଦ ନିର୍ମାଣ କରିବାର ଅଧିକାରରୁ ବଞ୍ଚିତ କରାଯାଇଛି। ଏତଦ୍ ବ୍ୟତୀତ ସରକାରୀ ଓ ଧାର୍ମିକ ଅନୁଷ୍ଠାନରେ ବ୍ୟାପକ ଭେଦଭାବ ଦେଖିବାକୁ ମିଳୁଛି। ଇରାନରେ କୁର୍ଦ୍ଦ, ବାଲୋଚି ଏବଂ ଆରବ ଭଳି ଜାତିଗତ ସଂଖ୍ୟାଲଘୁମାନେ ଅର୍ଥନୈତିକ ଏବଂ ସାଂସ୍କୃତିକ ନିର୍ଯାତନାର ଶିକାର ହେଉଛନ୍ତି। ଇରାନରେ ମହିଳାମାନେ କଠୋର ହିଜାବ ଆଇନ ଏବଂ ନୈତିକତା ଆଇନର କବଳରେ ଜୀବନ ବିତାଉଛନ୍ତି। ଇରାନରେ ହିଜାବ ଆଇନ ଉଲ୍ଲଂଘନ ପାଇଁ ମହିଳାଙ୍କୁ ଜେଲ, ଜରିମାନା ଓ ଶାରୀରିକ ଦଣ୍ଡ ଦିଆଯାଉଛି।
ବିଗତ କିଛି ବର୍ଷ ମଧ୍ୟରେ ଇରାନରେ ଫାଶୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜାତିସଂଘ ଉଦ୍ ବେଗ ପ୍ରକାଶ କରିଛି। ନିକଟରେ ମିଳିତ ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି ଯେ ଗତ ୮ ମାସ ମଧ୍ୟରେ ଇରାନରେ ୪୦୦ରୁ ଅଧିକ ଲୋକଙ୍କୁ ମୃତ୍ୟୁଦଣ୍ଡାଦେଶ ଦିଆଯାଇଛି। ସେହିପରି କେବଳ ଅଗଷ୍ଟ ମାସରେ ୮୧ ଜଣଙ୍କୁ ଫାଶୀ ଦିଆଯାଇଛି। ଜାତିସଂଘ ମାନବାଧିକାର ପରିଷଦ ଦ୍ୱାରା ନିଯୁକ୍ତ ବିଶେଷଜ୍ଞମାନେ କହିଛନ୍ତି, ମୃତ୍ୟୁଦଣ୍ଡରେ ଏତେ ଉଲ୍ଲେଖନୀୟ ବୃଦ୍ଧିକୁ ନେଇ ଆମେ ଚିନ୍ତିତ।
ଅଧିକ ପଢ଼ନ୍ତୁ: ପାକିସ୍ତାନଠାରୁ ପରମାଣୁ ଶକ୍ତିର ଆଶା କରୁଛି ବାଂଲାଦେଶ