ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ଟି-୨୦ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ଆଜି ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ହେବ। ଭାରତୀୟ ସମୟ ସନ୍ଧ୍ୟା ୭ଟାରୁ ଏହି ମ୍ୟାଚ୍ ଖେଳାଳିବ ଏବଂ ଶୃଙ୍ଖଳା ଜିତିବ ଲକ୍ଷ୍ୟରେ ସୂର୍ଯ୍ୟକୁମାର ଯାଦବଙ୍କ ଦଳ ପଡ଼ିଆକୁ ଓହ୍ଲାଇବ। ଚଳିତ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଭାରତୀୟ ଦଳ ଦୁଇ ନବାଗତଙ୍କ ସହ ଏକାଧିକ ଯୁବ ଖେଳାଳିଙ୍କୁ ନେଇ ଖେଳିଥିବା ସତ୍ତ୍ବେ ଗ୍ବାଲିୟର୍ରେ ବାଂଲାଦେଶକୁ ହରାଇ ଥିଲେ।
ଟେଷ୍ଟ୍ ଶୃଙ୍ଖଳା ପରେ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ଅଧିନାୟକ ସୂର୍ଯ୍ୟକୁମାର ୟାଦବଙ୍କ ଆକ୍ରମଣାତ୍ମକ ଖେଳ ଟ୍ବେଣ୍ଟି-୨୦ରେ ମଧ୍ୟ ଜାରି ରହିଛି। କେବଳ ନୀତୀଶ କୁମାର ରେଡ୍ଡୀ (୧୬* ରନ୍, ୧୫ ବଲ୍) ଙ୍କୁ ଛାଡ଼ିଦେଲେ ଅନ୍ୟମାନେ ୧୫୦ରୁ ଅଧିକ ଷ୍ଟ୍ରାଇକ୍ରେଟ୍ରେ ବ୍ୟାଟିଂ କରିଥିଲେ। ପ୍ରତ୍ୟେକ ବ୍ୟାଟର୍ ଭଲ ଲୟରେ ଥିବା ବେଳେ ବୋଲରମାନେ ମଧ୍ୟ ଦଳକୁ ଶକ୍ତି ପ୍ରଦାନ କରିଥିଲେ। ପ୍ରଥମ ମ୍ୟାଚ୍ର ଏକାଦଶରେ ପାଖାପାଖି ୮ ବୋଲିଂ ବିକଳ୍ପ ରହିଥିଲେ।
ବାଂଲାଦେଶ ଅଧିନାୟକ ନଜମୁଲ ହୋସେନ୍ ଶାନ୍ତୋ ନିଜର ଦଳକୁ ଭଲ ରଣନୀତି ପାଇଁ ପ୍ରସ୍ତୁତ କରିଛନ୍ତି। ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରି ଶୃଙ୍ଖଳାକୁ ସମାନ ସ୍ତରକୁ ଆଣିବାକୁ ସେ ରଣନୀତି କରିବେ। ସେ କହିଛନ୍ତି, ଯଦି ଶୃଙ୍ଖଳାରେ ଜୀବିତ ରହିବାକୁ ହେବ, ତାହେଲେ ଏହି ମନସ୍ତାତ୍ତ୍ବିକ ବାଧାକୁ ଅତିକ୍ରମ କରିବାକୁ ହେବ। ପୁଣି ଦଳର ସର୍ବାଧିକ ଟ୍ବେଣ୍ଟି-୨୦ ଖେଳିଥିବା ଖେଳାଳି ମହମ୍ମଦୁଲ୍ଲା ଶନିବାର ମ୍ୟାଚ୍ ପରେ ଏହି ଫର୍ମାଟ୍ରୁ ଅବସର ନେଇଯିବେ। ତାଙ୍କ ପାଇଁ ଏହି ମ୍ୟାଚ୍କୁ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ମନରେ ରହିବା ଦରକାର ବୋଲି ଶାନ୍ତୋ କହିଛନ୍ତି।
ଭାରତ ଦୁଇଟି ପରିବର୍ତ୍ତନ କରିପାରେ। ଶିବମ୍ ଦୁବେଙ୍କ ସ୍ଥାନରେ ଦଳରେ ସାମିଲ ହୋଇଥିବା ତିଳକ ବର୍ମାଙ୍କୁ ଦ୍ବିତୀୟ ମ୍ୟାଚ୍ରେ ଖେଳାଇବା ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ମୟଙ୍କ ୟାଦବଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ସୁଯୋଗ ମିଳିପାରେ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ସୂର୍ଯ୍ୟକୁମାର ୟାଦବ (ଅଧିନାୟକ), ସଂଜୁ ସାମସନ୍, ଅଭିଷେକ ଶର୍ମା, ହାର୍ଦିକ ପାଣ୍ଡ୍ୟା, ତିଳକ ବର୍ମା, ରିୟାନ ପରାଗ, ରିଙ୍କୁ ସିଂହ, ୱାସିଂଟନ୍ ସୁନ୍ଦର, ହର୍ଷିତ ରାଣା, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ।
ବାଂଲାଦେଶ ଦଳ: ନଜମୁଲ ହୋସେନ୍ ଶାନ୍ତୋ (ଅଧିନାୟକ), ଲିଟନ୍ ଦାସ, ପରଭେଜ୍ ହୋସେନ୍ ଇ ମୋନ/ତାଞ୍ଜିଦ୍ ହାସନ୍, ତୋହିଦ ହୃଦୟ, ମହମ୍ମଦୁଲ୍ଲା, ଜାକିର ଅଲୀ, ମେହଦି ହାସନ ମିରାଜ, ରିସଦ ହୋସେନ୍, ତସ୍କିନ୍ ଅହମଦ, ଶରିଫୁଲ ଇସ୍ଲାମ୍, ମୁସ୍ତାଫିଜୁର୍ ରହମାନ୍।
ଅଧିକ ପଢ଼ନ୍ତୁ: ହାଇବ୍ରିଡ୍ ମୋଡେଲରେ ଖେଳାଯିବ ଚାମ୍ପିଅନ୍ସ ଟ୍ରଫି!