ନୂଆଦିଲ୍ଲୀ: ସିରିଆରେ କିଛି ଦିନ ହେଲା ସ୍ଥିତି ଅତ୍ୟନ୍ତ ଉଦ୍ବେଗଜନକ ରହିଛି। ବିଦ୍ରୋହୀ ସେନା ରାଷ୍ଟ୍ରପତି ବଶାର ଅସଦଙ୍କ କ୍ଷମତାକୁ ଉଚ୍ଛେଦ କରିବାର ଦୁଇ ଦିନ ପରେ ମଙ୍ଗଳବାର ଭାରତ ୭୫ ଜଣ ଭାରତୀୟ ନାଗରିକଙ୍କୁ ସିରିଆରୁ ଉଦ୍ଧାର କରିଛି। ଏହି ଭାରତୀୟମାନେ ଲେବନାନ ଦେଇ ଭାରତରେ ପହଞ୍ଚିବେ। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ ସୁରକ୍ଷା ସ୍ଥିତିର ଆକଳନ କରିବା ପରେ ଦମାସ୍କସ୍ ଏବଂ ବେରୁତରେ ଥିବା ଭାରତୀୟ ଦୂତାବାସଦ୍ୱାରା ସମନ୍ୱିତ ସ୍ଥାନାନ୍ତରକୁ ପ୍ରଭାବଶାଳୀ କରାଯାଇଛି।
ବିଳମ୍ବିତ ରାତିରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏକ ବିବୃତିରେ କହିଛି ଯେ ସିରିଆରେ ସାମ୍ପ୍ରତିକ ଘଟଣାକ୍ରମ ପରେ ଭାରତ ସରକାର ସିରିଆରୁ ୭୫ ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିଛନ୍ତି। ସମସ୍ତ ଭାରତୀୟ ନାଗରିକ ସୁରକ୍ଷିତ ଭାବେ ଲେବାନନରେ ପହଞ୍ଚିଛନ୍ତି ଏବଂ ଉପଲବ୍ଧ ବାଣିଜ୍ୟିକ ବିମାନରେ ଭାରତ ଫେରିବେ। ସୁରକ୍ଷା ସ୍ଥିତିର ଆକଳନ ଏବଂ ସିରିଆରେ ଥିବା ଭାରତୀୟ ନାଗରିକଙ୍କ ଅନୁରୋଧ ପରେ ଦମାସ୍କସ୍ ଏବଂ ବେରୁତରେ ଥିବା ଭାରତୀୟ ଦୂତାବାସ ଦ୍ୱାରା ସମନ୍ୱିତ ସ୍ଥାନାନ୍ତର କରାଯାଇଥିଲା
ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ ବିଦେଶରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ସିରିଆରେ ଥିବା ଭାରତୀୟ ନାଗରିକମାନଙ୍କୁ ଦମାସ୍କସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ ସରକାର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବେ।
ସୂଚନାଯୋଗ୍ୟ, ଗତ ରବିବାର ବିଦ୍ରୋହୀମାନେ ଦାମାସ୍କସ୍କୁ ଦଖଲ କରିଥିଲେ। ଏହାପରେ ରାଷ୍ଟ୍ରପତି ଅସଦଙ୍କୁ ଦେଶ ଛାଡ଼ି ପଳାୟନ କରିବାକୁ ପଡ଼ିଥିଲା। ଏହା ସହିତ ସିରିଆରେ ୫୩ ବର୍ଷ ଧରି ଅସଦ ପରିବାରର ଶାସନର ଅନ୍ତ ଘଟିଛି। ଏହି ପରିବର୍ତ୍ତିତ ପରିସ୍ଥିତିରେ ଇସ୍ରାଏଲ ନିଜର ସେନାକୁ ବଫର ଜୋନକୁ ପଠାଇଥିଲା, ଯେଉଁଠାରେ କୌଣସି ସାମରିକ କାର୍ଯ୍ୟକଳାପ ନ କରିବାକୁ ଦୁଇ ଦେଶ ମଧ୍ୟରେ ଚୁକ୍ତି ହୋଇଥିଲା।