ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ପୂଜାସ୍ଥଳୀ ଆଇନ ବିରୋଧରେ ଦାୟର ଆବେଦନ ଉପରେ ଶୁଣାଣି କରିବେ। ପ୍ରଧାନବିଚାରପତି ଜଷ୍ଟିସ ସଞ୍ଜୀବ ଖନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ପୂଜାସ୍ଥଳୀ ଆଇନକୁ ଅନ୍ୟାୟ ବୋଲି ଦର୍ଶାଇ ୧୯୯୧ର ଏହି ଆଇନକୁ ରଦ୍ଦ କରିବାକୁ ଆବେଦନରେ ଦାବି କରାଯାଇଛି। ସେପଟେ ଜମିୟତ ଉଲେମା-ଏ-ହିନ୍ଦ, ମୁସଲିମ ପର୍ସନାଲ ଲ' ବୋର୍ଡ ବ୍ୟତୀତ ଅନେକ ରାଜନୈତିକ ନେତା ଏହି ଆଇନକୁ ସମର୍ଥନ କରି ଆବେଦନ କରିଛନ୍ତି। ଧାର୍ମିକ ସ୍ଥଳ ସର୍ଭେ ସମ୍ବନ୍ଧୀୟ ବିଭିନ୍ନ ଅଦାଲତଙ୍କ ଆଦେଶକୁ ମଧ୍ୟ ସେମାନେ ବିରୋଧ କରିଛନ୍ତି।
ସୂଚନାଯୋଗ୍ୟ, ୧୯୯୧ ର ପୂଜାସ୍ଥଳୀ ଆଇନରେ କୁହାଯାଇଛି ଯେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ପରେ ଦେଶର ପ୍ରତ୍ୟେକ ଧାର୍ମିକ ସ୍ଥାନର ସ୍ଥିତିକୁ ପରିବର୍ତ୍ତନ କରାଯାଇପାରିବ ନାହିଁ। ଏହି ଆଇନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ହୋଇଛି। ଆବେଦନକାରୀଙ୍କ ଯୁକ୍ତି ଥିଲା ଯେ ଏହି ଆଇନ ହିନ୍ଦୁ, ଜୈନ, ଶିଖ ଏବଂ ବୌଦ୍ଧମାନଙ୍କୁ ସେମାନଙ୍କ ଅଧିକାର ପାଇବାରୁ ବଞ୍ଚିତ କରିଛି। କୌଣସି ପ୍ରସଙ୍ଗକୁ କୋର୍ଟକୁ ଆଣିବା ପ୍ରତ୍ୟେକ ନାଗରିକଙ୍କ ସାମ୍ବିଧାନିକ ଅଧିକାର। କିନ୍ତୁ 'ପୂଜାସ୍ଥଳୀ ଆଇନ' ନାଗରିକମାନଙ୍କୁ ଏହି ଅଧିକାରରୁ ବଞ୍ଚିତ କରିଛି। ଏହା କେବଳ ନ୍ୟାୟ ପାଇବାର ମୌଳିକ ଅଧିକାରର ଉଲ୍ଲଂଘନ ନୁହେଁ, ବରଂ ଧାର୍ମିକ ଆଧାରରେ ମଧ୍ୟ ଭେଦଭାବ।
୧୯୯୧ମସିହାରେ ତତ୍କାଳୀନ କଂଗ୍ରେସ ସରକାର ପୂଜା ସ୍ଥାନ ଆଇନ ନାମରେ ଏକ ଆଇନ ଆଣିଥିଲେ। ଏହା ଅନୁଯାୟୀ ୧୯୪୭ ମସିହା ଅଗଷ୍ଟ ୧୫ ପୂର୍ବରୁ ଅସ୍ତିତ୍ୱରେ ଆସିଥିବା କୌଣସି ଧାର୍ମିକ ସ୍ଥାନକୁ ଅନ୍ୟ ଧର୍ମର ଉପାସନା ସ୍ଥଳରେ ପରିଣତ କରାଯାଇପାରିବ ନାହିଁ।
୧୯୯୦ ଦଶକରେ ରାମ ମନ୍ଦିର ଆନ୍ଦୋଳନ ଚରମ ସୀମାରେ ଥିଲା। ସୋମନାଥରୁ ରଥଯାତ୍ରା ଅଯୋଧ୍ୟାରେ ପହଞ୍ଚିବା ପୂର୍ବରୁ ଲାଲକୃଷ୍ଣ ଆଡଭାନୀଙ୍କୁ ବିହାରରେ ଗିରଫ କରାଯାଇଥିଲା। ନରସିଂହ ରାଓ ସରକାର ପରେ ଅଯୋଧ୍ୟା ଭଳି ଅନେକ ବିବାଦ ସୃଷ୍ଟି ହୋଇଥିଲା। ଏହାକୁ ରୋକିବା ପାଇଁ ପୂଜାସ୍ଥଳୀ ଆଇନ ଅଣାଯାଇଥିଲା। କିନ୍ତୁ ସେତେବେଳେ ମଧ୍ୟ ବିଜେପି ସଂସଦରେ ଏହାକୁ ବିରୋଧ କରିଥିଲା। ଏହି ବିଲ୍କୁ ଜେପିସିକୁ ପଠାଇବାକୁ ଦାବି ହୋଇଥିଲେ ମଧ୍ୟ ଏହା ସତ୍ତ୍ୱେ ଏହାକୁ ପାରିତ କରାଯାଇଥିଲା।
ଅଧିକ ପଢ଼ନ୍ତୁ: ୫୭ ଘଣ୍ଟାର ସଂଘର୍ଷ ପରେ ଜୀବିତ ଫେରିଲାନି ଶିଶୁ