ନୂଆଦିଲ୍ଲୀ: ବିଶ୍ୱ ବିଜେତା ଭାରତୀୟ ମହିଳା କ୍ରିକେଟ୍ ଦଳ । ଏହା ପୂର୍ବରୁ ଦୁଇ ଥର ଫାଇନାଲରେ ପହଞ୍ଚି ଥିଲେ ହେଁ ଯେଉଁ ସ୍ୱପ୍ନ ଅଧୁରା ରହିଥିଲା, ସେହି ସ୍ୱପ୍ନ ଆଜି ପୂରଣ କରିଛନ୍ତି ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ । ଏହାର ଶ୍ରେୟ ନିଃସନ୍ଦେହ ଅଧିନାୟକଙ୍କ ସହ ପୂରା ଟିମର । ମାତ୍ର ଏହି ମହାଗାଥାର ପଟକଥା ପ୍ରକୃତରେ ସେହି ବ୍ୟକ୍ତି ଲେଖିଥିଲେ, ଯିଏ କେବେ ବି ଟିମ୍ ଇଣ୍ଡିଆ ପାଇଁ ଖେଳି ପାରି ନାହାନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ରନର ପାହାଡ ଛିଡା କରିଥିଲେ । ୧୧ ହଜାରରୁ ଅଧିକ ରନ କରିଥିଲେ । ଖୋଦ୍ ଟିମ୍ ଇଣ୍ଡିଆ ପାଇଁ ଖେଳି ନ ଥିଲେ ବି ଆଜି ମହିଳା ଟିମକୁ ବିଶ୍ୱ ଚାମ୍ପିଅନ କରି ଦେଇଛନ୍ତି । ଆମେ କହୁଛୁ ଭାରତୀୟ ମହିଳା କ୍ରିକେଟ୍ ଦଳର କୋଚ୍ ଅମୋଲ ମଜୁମଦାର ।
ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତୀୟ ମହିଳା ଦଳ ରବିବାର ଇତିହାସ ରଚିଛନ୍ତି । ମହିଳା ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ହରାଇ ଟିମ୍ ଇଣ୍ଡିଆ ପ୍ରଥମ ଥର ବିଶ୍ୱକପ ଜିତିଛି । ବିଜୟ ବାନା ଉଡାଇବା ପରେ ଅଧିନାୟକ ହରମନପ୍ରୀତ କୌର କୋଚ୍ ଅମୋଲ ମଜୁମଦାରଙ୍କ ପାଦ ଛୁଇଁଥିଲେ । ସେହି ବ୍ୟକ୍ତିଙ୍କୁ ପ୍ରଣାମ କରିଥିଲେ, ଯିଏ ପରଦା ପଛରେ ରହି ଟିମକୁ ଗଢିଥିଲେ । ଦଳର ଆତ୍ମ ବିଶ୍ୱାସ ବଢାଇଥିଲେ । ପ୍ରତ୍ୟେକ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।
ଅମୋଲ ମଜୁମଦାର ଘରୋଇ କ୍ରିକେଟରେ ରନର ପାହାଡ ଛିଡା କରିଛନ୍ତି । ତାଙ୍କ ନାଁରେ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୧ ହଜାର ୧୬୭ ରନ ରହିଛି । ମାତ୍ର ତାଙ୍କୁ ଭାରତୀୟ ଦଳ ପକ୍ଷରୁ ଖେଳିବାର ସୁଯୋଗ ବି ମିଳିନାହିଁ । ଦୁଇ ଦଶନ୍ଧି ଧରି ଘରୋଇ କ୍ରିକେଟରେ ନିଜର କମାଲ ପ୍ରଦର୍ଶନ କରି ଚାଲିଥିଲେ । ସଚିନ ତେନ୍ଦୁଲକର, ବିନୋଦ କାମ୍ବଲିଙ୍କ ପରି ଦିଗଜଙ୍କ ସହ ଖେଳିଥିଲେ ।
ସେ ୧୯୯୪ରେ ଭାରତର ୧୯ ବର୍ଷରୁ କମ ବିଶ୍ୱକପ୍ ଦଳର ଉପଅଧିନାୟକ ଥିଲେ । ଇଣ୍ଡିଆ ଏ ପାଇଁ ରାହୁଲ ଦ୍ରାବିଡ ଓ ସୌରଭ ଗାଙ୍ଗୁଲିଙ୍କ ସହ ଖେଳିଛନ୍ତି । ମୁମ୍ବାଇ ପାଇଁ ରଣଜୀ ଟ୍ରଫିରେ ପଦାର୍ପଣ ମ୍ୟାଚରେ ୨୬୦ ରନର ସ୍ମରଣୀୟ ଇନିଂସ ଖେଳିଥିଲେ । ଏହା ପ୍ରଥମ ଶ୍ରେଣୀ କ୍ରିକେଟର ଡେବ୍ୟୁ ମ୍ୟାଚରେ କୌଣସି ଭାରତୀୟ ଖେଳାଳିଙ୍କ ସର୍ବୋଚ୍ଚ ସ୍କୋର ।
ଲୋକଙ୍କୁ ତାଙ୍କଠାରେ ଭବିଷ୍ୟତର ତାରକା ନଜର ଆସିଥିଲା । ହେଲେ ମଜୁମଦାରଙ୍କୁ କେବେ ବି ଭାରତୀୟ ଦଳରେ ସୁଯୋଗ ମିଳି ନ ଥିଲା । ଏହାର ସମ୍ଭବତଃ କାରଣ ହେଉଛି ଯେ, ଅମୋଲ ମଜୁମଦାରଙ୍କ ସମୟରେ ଭାରତର ମଧ୍ୟକ୍ରମରେ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ଭିଭିଏସ ଲକ୍ଷ୍ମଣ ଓ ସୌରଭ ଗାଙ୍ଗୁଲିଙ୍କ ପରି ମହାନ ବ୍ୟାଟର ଥିଲେ । ମଜୁମଦାର ୨୦୧୪ରେ ପ୍ରଥମ ଶ୍ରେଣୀ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । ଏହିପରି ଭାବେ ତାଙ୍କର ୨୧ ବର୍ଷର କ୍ରିକେଟ୍ କ୍ୟାରିୟର ଉପରେ ଯବନିକା ପଡିଥିଲା ।
ବିସିସିଆଇ ତାଙ୍କୁ ୨୦୨୩ ଅକ୍ଟୋବରରେ ଭାରତୀୟ ମହିଳା କ୍ରିକେଟ୍ ଦଳର କୋଚ୍ ଭାବେ ନିଯୁକ୍ତ କରିଥିଲା । ୨ ବର୍ଷରେ ସେ ଦଳ ଗଢିଲେ । ଖେଳାଳିଙ୍କ ମଧ୍ୟରେ ଭରସା ଉତ୍ପନ କଲେ ଯେ ସେମାନେ ହିଁ ଆଇସିସି ଟ୍ରଫି ଜିତିବାର ମରୁଡି ଶେଷ କରି ପାରିବେ । ୨୦୦୫ ଓ ୨୦୧୭ରେ ଯାହା ହୋଇ ପାରି ନ ଥିଲା ତାହା ୨୦୨୫ରେ ସମ୍ଭବ ହୋଇଛି ।
ନଭେମ୍ବର ୧୧ରେ ଅମୋଲ ମଜୁମଦାର ନିଜର ୫୧ତମ ଜନ୍ମଦିନ ପାଳନ କରିବେ । ଭାରତୀୟ ଦଳ ପକ୍ଷରୁ ତାଙ୍କ ପାଇଁ ବିଶ୍ୱକପ୍ ଟ୍ରଫି ଜିତିବାଠୁ କୌଣସି ବଡ ଉପହାର ହୋଇ ନ ପାରେ । ହରମନପ୍ରୀତ କୌରଙ୍କ ଟିମର ଐତିହାସିକ ବିଜୟ ପରେ ମଜୁମଦାର କହିଛନ୍ତି, ତାଙ୍କ ପାଖରେ ଶବ୍ଦ ନାହିଁ । ଏହା ବହୁତ ଗର୍ବର କ୍ଷଣ ।
Also read: ମୋହସିନ ନକଭିଙ୍କୁ ଡେଡଲାଇନ ଦେଲା ବିସିସିଆଇ, ଏସିଆ କପ୍ ଟ୍ରଫି ନ ଦେଲେ ...