ଗୌହାଟୀ: ଆସାମ ସରକାର ଆଧାରକାର୍ଡକୁ ଏନ୍ଆରସି ସହ ଲିଙ୍କ୍ କରିବା ପାଇଁ ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସାମ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଯଦି ଆବେଦନକାରୀ କିମ୍ବା ତାଙ୍କ ପରିବାର ଏନଆରସିରେ ଆବେଦନ କରିନାହାଁନ୍ତି, ତେବେ ଆଧାରକାର୍ଡ ପାଇଁ ଆବେଦନ ମଧ୍ୟ ଖାରଜ ହୋଇଯିବ।
ବାଂଲାଦେଶର ନାଗରିକଙ୍କ ଅନୁପ୍ରବେଶ ଉଦ୍ୟମକୁ ଦୃଷ୍ଟିରେ ରଖି କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି। ଗତ ଦୁଇ ମାସ ମଧ୍ୟରେ ଆସାମ ପୁଲିସ, ତ୍ରିପୁରା ପୁଲିସ ଏବଂ ବିଏସପି ବହୁ ସଂଖ୍ୟକ ଅନୁପ୍ରବେଶକାରୀଙ୍କୁ ଗିରଫ କରିଛନ୍ତି। ସେଥିପାଇଁ ବାଂଲାଦେଶରୁ ଅନୁପ୍ରବେଶ ଆମ ପାଇଁ ଚିନ୍ତାର ବିଷୟ। ଆମକୁ ଆମର ବ୍ୟବସ୍ଥାକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି ଏବଂ ସେଥିପାଇଁ ଆମେ ଆଧାର କାର୍ଡ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛୁ।
କ୍ୟାବିନେଟ୍ ବୈଠକ ପରେ ଶ୍ରୀ ଶର୍ମା କହିଛନ୍ତି ଯେ ଏଣିକି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ (ଜିଏଡି) ଆଧାର ଆବେଦନକାରୀଙ୍କ ଯାଞ୍ଚ ପାଇଁ ନୋଡାଲ ଏଜେନ୍ସି ହେବ ଏବଂ ପ୍ରତ୍ୟେକ ଜିଲ୍ଲାରେ ସମ୍ପୃକ୍ତ ବ୍ୟକ୍ତି ଭାବେ ଜଣେ ଅତିରିକ୍ତ ଜିଲ୍ଲା କମିଶନର ରହିବେ।
ପ୍ରାଥମିକ ଆବେଦନ ପରେ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ଏହାକୁ ଯାଞ୍ଚ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇବ। ସ୍ଥାନୀୟ ସର୍କଲ ଅଫିସର (ସିଓ) ପ୍ରଥମେ ଯାଞ୍ଚ କରିବେ ଯେ ଆବେଦନକାରୀ କିମ୍ବା ତାଙ୍କ ପିତାମାତା କିମ୍ବା ପରିବାର ଏନଆରସିରେ ଅନ୍ତର୍ଭୁକ୍ତ କରିବା ପାଇଁ ଆବେଦନ କରିଛନ୍ତି କି ନାହିଁ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯଦି ଏନଆରସି ପାଇଁ କୌଣସି ଆବେଦନ ନହୁଏ, ତେବେ ଆଧାର ଅନୁରୋଧକୁ ତୁରନ୍ତ ଖାରଜ କରାଯିବ ଏବଂ ସେହି ଅନୁଯାୟୀ କେନ୍ଦ୍ରକୁ ଏକ ରିପୋର୍ଟ ପ୍ରଦାନ କରାଯିବ। କେନ୍ଦ୍ର ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ନାହିଁ।
ଏନଆରସି ପାଇଁ ଆବେଦନ ହୋଇଥିବା ଜଣାପଡ଼ିଲେ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସିଓ କ୍ଷେତ୍ରସ୍ତରୀୟ ଯାଞ୍ଚ କରିବେ ବୋଲି ସେ କହିଛନ୍ତି। ଅଧିକାରୀ ସମ୍ପୂର୍ଣ୍ଣ ନିଶ୍ଚିତ ହେବା ପରେ ଆଧାର ଅନୁମୋଦନ କରାଯିବ।
ତେବେ ଯେଉଁ କେନ୍ଦ୍ର ସରକାରୀ କର୍ମଚାରୀମାନେ ଅନ୍ୟ ରାଜ୍ୟରେ କାମ କରୁଛନ୍ତି ଏବଂ ଏନଆରସି ପାଇଁ ଆବେଦନ କରିନାହାଁନ୍ତି ସେମାନଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଲାଗୁ ହେବ ନାହିଁ ବୋଲି ଶର୍ମା କହିଛନ୍ତି। ଏହି ଉପାୟରେ ଆମେ ଆଧାର ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏକ କଠୋର ବ୍ୟବସ୍ଥା କରିବୁ, ଯାହାଦ୍ୱାରା କୌଣସି ସନ୍ଦିଗ୍ଧ ବ୍ୟକ୍ତି ଏହି ପରିଚୟପତ୍ର ପାଇପାରିବେ ନାହିଁ।
ଅଧିକ ପଢ଼ନ୍ତୁ: ପୂଜାସ୍ଥଳୀ ଆଇନ ଉପରେ ଆବେଦନ ଉପରେ ଆଜି ଶୁଣାଣି