ଆଜି ମାର୍ଗଶିର ମାସ ଶେଷ ଗୁରୁବାର, ସେଥିପାଇଁ ଚଳଚଞ୍ଚଳ ହୋଇପଡିଛି ଗାଁଠୁ ସହର। ସବୁଠି ମା' ମହାଲକ୍ଷ୍ମୀଙ୍କ ପୂଜା ଅର୍ଚ୍ଚନାରେ ଗୁଞ୍ଜରିତ ହେଉଛି। ଦୀପ ଧୂପ ବାସ୍ନାରେ ସାରା ପରିବେଶ ମୁଖରିତ ହୋଇପଡିଛି। ମାର୍ଗଶିର ମାସ ଗୁରୁବାରରେ ମା'ଙ୍କୁ ଆବାହନ କରିଥାନ୍ତି ପ୍ରତି ଓଡ଼ିଆ। ପ୍ରତି ଓଡ଼ିଆ ଘରର ମା'ମାନେ ଗୁରୁବାର ପୂର୍ବଦିନ ଠାରୁ ଘରଦ୍ୱାର ଲିପାପୋଛା କରି ଝୋଟିଚିତା ପକାଇଥାନ୍ତି । ଗୁରୁବାର ବଡି ଭୋରୁ ମା'ମାନେ ଉଠି ନିତ୍ୟକର୍ମ ସାରି ମା' ମହାଲକ୍ଷ୍ମୀଙ୍କ ଆବାହନ ପାଇଁ ପୂଜା କରିଥାନ୍ତି।
ପ୍ରଥମେ ମାଣ ଖଟୁଲି ଉପରେ ଏକ ନୂଆ ମାଣରେ ଧଳାଧାନ ଭରି ରଖାଯାଏ । ଖଟୁଲିରେ ରଖି ତା ଉପରେ ଧାନର ମେଣ୍ଟାକୁ ରଖାଯାଏ । ନାଲିଛିଟ ଓ ସୁନ୍ଦର ପାଟକନାରେ ଓଢଣୀ ଦେଇ ଏହାକୁ ଏକ ନବ ବଧୂର ରୂପ ସଦୃଶ କରାଯାଏ । ମା’ଲକ୍ଷ୍ମୀଙ୍କର ଖଟୁଲି ବା ଆସ୍ଥାନ ଚାରିପଟେ ଷୋଳ ପାଖୁଡା ବିଶିଷ୍ଟ ଦିବ୍ୟ, ପଦ୍ମ ଅଙ୍କନ କରାଯାଇଥାଏ । ଘରର ଚତୁଃପାଶ୍ୱର୍ରୁ ମା’ଙ୍କର ପଦ୍ମ ପାଦର ଚିତା ଆସ୍ଥାନ ପର୍ଯ୍ୟନ୍ତ ଅଙ୍କାଯାଏ । ମା’ଲକ୍ଷ୍ମୀଙ୍କ ପାଖରେ ବେଳ ଅନୁସାରେ ନୈବେଦ୍ୟ ଲଗାଯାଏ । ଖିରି, ପିଠା, ପଣାରେ ଘର ପୂରି ଉଠିଥାଏ ।