ନୂଆଦିଲ୍ଲୀ: ଭାରତ ଆଜି ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଆୟୋଜିତ ଜାତୀୟ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ସମାରୋହରେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଭାରତର ବିବିଧ ସଂସ୍କୃତି ଏବଂ ସାମରିକ ଶକ୍ତିକୁ ଆଜି ସମଗ୍ର ବିଶ୍ବବାସୀ ଦେଖିବେ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେବ ଫ୍ଲାଇପାଷ୍ଟ, ଯେଉଁଥିରେ ଭାରତୀୟ ବାୟୁସେନାର ବିମାନର ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିବ। ଭାରତର ଏୟାର ପାୱାର ପ୍ରଦର୍ଶନ ଦର୍ଶକଙ୍କୁ ଆକର୍ଷିତ କରିବ। ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଉନ୍ନତ ସାମରିକ ବୈଷୟିକ ସାମର୍ଥ୍ୟର ଏକ ଅନନ୍ୟ ସମାଗମ ଉପସ୍ଥାପିତ ହେବ ଯାହା ଦେଶର ଶକ୍ତି ଏବଂ ଅଖଣ୍ଡତାର ପ୍ରତୀକ।
ସାଧାରଣତନ୍ତ୍ର ଦିବସ ଅବସରରେ ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶୁଭେଚ୍ଛା ଜଣାଇଛନ୍ତି। ଏହି ଜାତୀୟ ଦିବସ ଅବସରରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ତରଫରୁ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।
ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ସାଧାରଣତନ୍ତ୍ର ଦିବସରେ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ଆମେରିକା ତରଫରୁ ମୁଁ ଭାରତବାସୀଙ୍କୁ ସେମାନଙ୍କ ଦେଶର ସାଧାରଣତନ୍ତ୍ର ଦିବସ ପାଇଁ ଅଭିନନ୍ଦନ ଜଣାଉଛି। ଯେତେବେଳେ ସେମାନେ ଭାରତର ସମ୍ବିଧାନକୁ ଗ୍ରହଣ କରିବାକୁ ପାଳନ କରୁଛନ୍ତି, ଆମେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ମୂଳଦୁଆ ଭାବରେ ଏହାର ସ୍ଥାୟୀ ଗୁରୁତ୍ୱକୁ ସ୍ୱୀକାର କରିବାରେ ସେମାନଙ୍କ ସହ ଯୋଗ ଦେଉଛୁ।
ଆଜି ପୂର୍ବାହ୍ନ ସାଢ଼େ ୧୦ଟାରୁ କର୍ତ୍ତବ୍ୟପଥରେ ପରେଡ୍ ଆରମ୍ଭ ହେବ। ଏହି ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଭୋ ସୁବିଆଣ୍ଟୋ ଯୋଗଦେବେ। କର୍ତ୍ତବ୍ୟପଥରେ ତିନି ସେନା ଓ ଡିଆରଡିଓଠାରୁ ଆରମ୍ଭ କରି ଅନେକ ରାଜ୍ୟ ଓ ମନ୍ତ୍ରଣାଳୟର ଝଲକ ଦେଖିବାକୁ ମିଳିବ।