ଲକ୍ଷ୍ନୌ: ସମାଜବାଦୀ ପାର୍ଟି ସାଂସଦ ଜିଆଉର ରେହମାନ ବାର୍କଙ୍କ ବିରୋଧରେ ବିଦ୍ୟୁତ୍ ଚୋରି ଅଭିଯୋଗ ଆସିଛି। ଏହି ଘଟଣାରେ ଉପଖଣ୍ଡ ଅଧିକାରୀ ଆଇ ସନ୍ତୋଷ ତ୍ରିପାଠୀ ତାଙ୍କ ବିରୋଧରେ ଏତଲା ଦେଇଛନ୍ତି। ତଦନ୍ତ ବେଳେ ତାଙ୍କ ଘରେ ଥିବା ବିଦ୍ୟୁତ୍ ମିଟରରେ ତ୍ରୁଟି କରି ବିଦ୍ୟୁତ୍ ଚୋରି କରାଯାଉଥିବା ଜଣାପଡ଼ିଥିଲା। ଗତ ୬ ମାସ ହେବ ଏହି ବିଦ୍ୟୁତ୍ ଚୋରି ଚାଲିଥିବାରୁ ସାଂସଦଙ୍କ ଘର ଆଲୋକିତ ହେଉଥିଲା।
ସୂଚନାଯୋଗ୍ୟ, ମଙ୍ଗଳବାର ଅପରାହ୍ନରେ ସାଂସଦ ଜିଆଉର ରେହମାନଙ୍କ ବାସଭବନରେ ପୁରୁଣା ସ୍ମାର୍ଟ ମିଟର ବଦଳରେ ଏକ ନୂଆ ସ୍ମାର୍ଟ ମିଟର ଲଗାଯାଇଥିଲା। ପୁରୁଣା ମିଟର ଯାଞ୍ଚ ବେଳେ ଗତ ୬ ମାସ ହେଲା ଏଥିରେ ଶୂନ ୟୁନିଟ୍ ବିଦ୍ୟୁତ୍ ବ୍ୟବହାର ହେଉଥିଲା। ବୈଷୟିକ ପରୀକ୍ଷା ପାଇଁ ଏହି ମିଟରକୁ ଲ୍ୟାବକୁ ପଠାଯାଇଥିଲା, ଯେଉଁଠାରେ ରିପୋର୍ଟରେ ତ୍ରୁଟି ହୋଇଥିବା ଜଣାପଡ଼ିଥିଲା।
ଗୁରୁବାର ସକାଳେ ବିଦ୍ୟୁତ୍ ବିଭାଗର ଅଧିକାରୀମାନେ ପୁଣି ଥରେ ବ୍ୟାପକ ପୁଲିସ ଫୋର୍ସ ଓ ଆରଆର୍ଏଫ୍ କର୍ମଚାରୀଙ୍କ ସହ ପହଞ୍ଚି ସ୍ମାର୍ଟ ମିଟର ଯାଞ୍ଚ କରିଥିଲେ। ୫ କିଲୋୱାଟ୍ରୁ ଅଧିକ ଭାର ରେକର୍ଡ କରାଯାଉଥିବା ବେଳେ ସାଂସଦଙ୍କ ପୂରା ଘରେ ମୋଟ ୧୬.୪୮ କିଲୋୱାଟ୍ ଲୋଡ୍ ରେକର୍ଡ କରାଯାଇଛି। ପ୍ରଥମ ମହଲାରେ ୩୨୫୩ ଓ୍ଵାଟ୍ର ଭାର ଦେଖିବାକୁ ମିଳିଥିଲା। ଦ୍ବିତୀୟ ମହଲାରେ ୮୨୩୪ କିଲୋୱାଟ୍ ଲୋଡ୍ ରେକର୍ଡ କରାଯାଇଛି। ତୃତୀୟ ମହଲାରେ ୪୯୯୩ କିଲୋୱାଟ୍ ଲୋଡ୍ ଦେଖିବାକୁ ମିଳିଥିଲା। ମାମଲା ରୁଜୁ କରିବା ପରେ ବିଦ୍ୟୁତ୍ ବିଭାଗ ତଦନ୍ତକୁ ଜୋରଦାର କରିଛି।
ସାଂସଦ ଜିଆଉର ରେହମାନ ବାର୍କଙ୍କ ନାମରେ ମିଟର ଲାଗିଥିବାରୁ ବିଦ୍ୟୁତ୍ ଚୋରି ଅଭିଯୋଗରେ ତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଛି। ପୂର୍ବରୁ ସାଂସଦ ଜିଆଉର ରେହମାନ ବାର୍କ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ଏବେ ଏହି ବିଦ୍ୟୁତ ଚୋରି ମାମଲା ତାଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି।
ସମାଜବାଦୀ ପାର୍ଟି ସାଂସଦ ଜିଆଉର ରେହମାନ ବାର୍କଙ୍କ ସମ୍ଭଲର ଦୀପା ସରାଇସ୍ଥିତ ବାସଭବନରେ ଗୁରୁବାର ସକାଳେ ବିଦ୍ୟୁତ ବିଭାଗର ଏକ ଟିମ୍ ଚଢ଼ାଉ କରିଛି। ଦୁଇ ଦିନ ତଳେ ଲଗାଯାଇଥିବା ସ୍ମାର୍ଟ ମିଟରର ରିଡିଂ ଯାଞ୍ଚ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଅଧିକାରୀମାନେ ସାଂସଦଙ୍କ ବାସଭବନରେ ପହଞ୍ଚି ଛାତ ଉପରକୁ ଚଢ଼ି ବିଦ୍ୟୁତ୍ ସଂଯୋଗ ଯାଞ୍ଚ କରିଥିଲେ। ଏଏସ୍ପି ଶ୍ରୀଶଚାନ୍ଦଙ୍କ ନେତୃତ୍ୱରେ ବିଦ୍ୟୁତ୍ ବିଭାଗ ଟିମ୍ ବ୍ୟାପକ ପୁଲିସ ଓ ଆରପିଏଫ୍ ଯବାନଙ୍କୁ ନେଇ ଦୀପା ସରାଇରେ ପହଞ୍ଚିଥିଲେ।
ବିଦ୍ୟୁତ ବିଭାଗର ଅଧିକାରୀମାନେ ମଙ୍ଗଳବାର ଏସ୍ପି ସାଂସଦ ଜିଆଉର ରେହମାନ ବାର୍କଙ୍କ ବାସଭବନରେ ଲାଗିଥିବା ସ୍ମାର୍ଟ ମିଟରକୁ ପଢ଼ି ସମଗ୍ର ପରିସର ଯାଞ୍ଚ କରିଛନ୍ତି। ସମ୍ଭଲ ଏସଡିଏମ ବନ୍ଦନା ମିଶ୍ର କହିଛନ୍ତି, ବିଦ୍ୟୁତ ଚୋରି ବିରୋଧରେ ଏହା ଆମର ନିୟମିତ ଅଭିଯାନ। ସେହି ପରିପ୍ରେକ୍ଷୀରେ ଏହି ଯାଞ୍ଚ କରାଯାଉଛି। ଉପଯୁକ୍ତ ବିଦ୍ୟୁତ୍ ସଂଯୋଗ ଏବଂ ଏହାର ଏସ୍ଓପି ପାଳନ କରାଯାଉନଥିବା ସୂଚନା ମିଳିଥିଲା।
ଅଧିକ ପଢ଼ନ୍ତୁ: ଶତ୍ରୁ ଦେଶ ସହ ହାତ ମିଳାଇଲେ ପୂର୍ବତନ ରାଷ୍ଟ୍ରପତି ବଶାର ଅଲ-ଅସଦ