ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ) ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ବକୁ ଏଥର ଦିଲ୍ଲୀବାସୀ ଭରସା କରି ନଥିବା ଭଳି ମନେ ହେଉଛି। ପ୍ରଥମ ସାଢ଼େ ୪ ଘଣ୍ଟାର ଗଣତି ଟ୍ରେଣ୍ଡ କହୁଛି, ଆପ୍ ଏଥର ନିର୍ବାଚନ ହାରିଯାଇପାରେ। ଏହା କହିବାର ଅନ୍ୟ କାରଣ ହେଲା ଯେ, ଆପ୍ର ବଡ଼ବଡ଼ ନେତା ବିଜେପି ପ୍ରାର୍ଥୀଙ୍କ ତୁଳନାରେ ବହୁତ ବଡ଼ ବ୍ୟବଧାନରେ ପଛରେ ଅଛନ୍ତି।
ଅନ୍ୟପଟରେ ଗଣତି ଟ୍ରେଣ୍ଡ ରିପୋର୍ଟକୁ ଆଧାର କରି ବିଜେପି ଆଗୁଆ ବିଜୟ ଉତ୍ସବ ପାଳନ ପାଇଁ ପ୍ରସ୍ତୁତ ହୋଇଯାଇଛି। ଭାରତୀୟ ଜନତା ପାର୍ଟିର ଦିଲ୍ଲୀ ଶାଖା ପକ୍ଷରୁ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ, ହୋଇଛି ଯେଉଁଥିରେ ଇଣ୍ଡିଆ ଗେଟ୍ ସମ୍ମୁଖରେ ପଦ୍ମ ଫୁଟିଛି। କେବଳ ଏତିକି ନୁହେଁ। ବିଜେପିକର୍ମୀମାନେ ନିର୍ବାଚନର ଟ୍ରେଣ୍ଡକୁ ଆଧାର କରି ମିଠାଇ ଓ ଜିଲାପି ବାଣ୍ଟିବା ଆରମ୍ଭ କରିଦେଇଛନ୍ତି।
ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବ ଏବଂ ଅନ୍ୟାନ୍ୟ ଦଳୀୟ ନେତାମାନେ ପରସ୍ପରକୁ ମିଠା ଖୁଆଇ ଅଭିନନ୍ଦନ ଜଣାଉଛନ୍ତି। ଦିଲ୍ଲୀରେ ୨୭ ବର୍ଷର ନିର୍ବାସନ ଶେଷ ହେଉଥିବାରୁ ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବ ତାଙ୍କ ସହକର୍ମୀଙ୍କୁ ମିଠା ଖୁଆଇ ଉତ୍ସବ ପାଳନ କରିଛନ୍ତି। ବିଜୟ ଉତ୍ସବ ପାଇଁ ପ୍ରସ୍ତୁତି ଜାରି ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ବିଜେପି ମୁଖ୍ୟ କାର୍ଯ୍ୟାଳୟ ଯିବେ। ସେଠାରେ ସେ ସନ୍ଧ୍ୟା ୭ଟା ୪୫ରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବେ।
ସଦ୍ୟତମ ରିପୋର୍ଟ ଅନୁସାରେ ଆପ୍ର ରାଷ୍ଟ୍ରୀୟ ସଂଗଠକ ଅରବିନ୍ଦ କେଜ୍ରିୱାଲ ପଛରେ ଅଛନ୍ତି। ଏଠାରେ ୧୩ ରାଉଣ୍ଡ ଗଣନା ହେବ। ୭ ରାଉଣ୍ଡ ପରେ ସେ ୨୩୮ ଭୋଟରେ ପଛରେ ଅଛନ୍ତି। ବିଜେପି ପ୍ରାର୍ଥୀ ପ୍ରବେଶ ବର୍ମା ଆଗୁଆ ରହିଛନ୍ତି। ଶ୍ରୀ ବର୍ମା ୧୪୪୬୪ ଭୋଟ୍, କେଜରିୱାଲ ୧୪୨୨୬ ଭୋଟ୍ ଏବଂ ସନ୍ଦୀପ ଦୀକ୍ଷିତ ୨୩୯୩ ଭୋଟ୍ ପାଇଥିଲେ। ଏହି ଆସନରେ ସନ୍ଦୀପ ଦୀକ୍ଷିତ କେଜରିୱାଲଙ୍କୁ ବହୁତ କ୍ଷତି ପହଞ୍ଚାଇଛନ୍ତି ବୋଲି ବିଶ୍ୱାସ କରାଯାଉଛି।
ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଆତିଶୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ତଥାପି, ସେ ଏହି ନିର୍ବାଚନରେ ନିଜକୁ ମୁଖ୍ୟମନ୍ତ୍ରୀ ମୁହଁ ଭାବରେ ଘୋଷଣା କରିଥିଲେ। ଆତିଶୀ ମଧ୍ୟ କାଲକାଜୀ ଆସନରୁ ପଛରେ ଅଛନ୍ତି। ସେ ବିଜେପିର ରମେଶ ବିଧୁରୀଙ୍କ ଠାରୁ ପରାଜିତ ହୋଇଥିବା ପରି ମନେ ହେଉଛି।
ଅଧିକ ପଢ଼ନ୍ତୁ: ମୋଦୀଙ୍କ ନେତୃତ୍ବକୁ ପସନ୍ଦ କଲେ କି ଦିଲ୍ଲୀବାସୀ?