ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବିଜୟର ଅଭିମୁଖେ ଅଗ୍ରସର ହେଉଛି। ସନ୍ଧ୍ୟା ସୁଦ୍ଧା ଏହାର ଫଳାଫଳ ଆସିବ। କିନ୍ତୁ ମତଗଣନାର ପ୍ରଥମ ୪ ଘଣ୍ଟାର ଟ୍ରେଣ୍ଡ କହୁଛି ଏଥର ଫଳ ବିଜେପି ସପକ୍ଷରେ ଆସିପାରେ। ଭୋଟ ଗଣତି ଚାଲିଛି। ଦିଲ୍ଲୀରେ ମୋଟ ୭୦ଟି ଆସନ ଅଛି ଏବଂ ବହୁମତ ପାଇଁ ୩୬ଟି ଆସନ ଆବଶ୍ୟକ।
୧୯୯୩ ମସିହାରେ ବିଜେପି ପ୍ରଥମ ଥର ପାଇଁ ଦିଲ୍ଲୀ ଜିତିଥିଲା। ପୁଣି ଥରେ କ୍ଷମତାକୁ ଆସିବା ପାଇଁ ଦୀର୍ଘ ୨୭ ବର୍ଷକୁ ଅପେକ୍ଷା କରିବାକୁ ପଡ଼ିଛି। କେନ୍ଦ୍ରରେ ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ଭାରତୀୟ ଜନତା ପାର୍ଟି ନେତୃତ୍ବରେ ଏନ୍ଡିଏ ସରକାର ଅଛି। ଅନ୍ୟପଟରେ ବିଗତ କିଛି ବର୍ଷ ହେଲା ଆମ୍ ଆଦମୀ ପାର୍ଟି (ଆପ୍) ଓ କଂଗ୍ରେସ ପ୍ରତି ଦିଲ୍ଲୀବାସୀଙ୍କର ସମର୍ଥନ ପୂର୍ବ ଭଳି ନାହିଁ।
ଦିଲ୍ଲୀରେ ଆମ ଆଦମୀ ପାର୍ଟି ୨୦୧୩, ୨୦୧୫ ଏବଂ ୨୦୨୦ରେ ସରକାର ଗଠନ କରିଥିଲା ଏବଂ ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଆତିଶୀ ସେପ୍ଟେମ୍ବର ୨୦୨୪ରୁ ମୁଖ୍ୟମନ୍ତ୍ରୀ ଅଛନ୍ତି। ପୂର୍ବରୁ ୧୯୯୮, ୨୦୦୩ ଏବଂ ୨୦୦୮ରେ କଂଗ୍ରେସ ଜିତିଥିଲା ଏବଂ ଶୀଲା ଦୀକ୍ଷିତ ମୁଖ୍ୟମନ୍ତ୍ରୀ ହୋଇଥିଲେ।
ସକାଳ ଠାରୁ ସମସ୍ତଙ୍କ ନଜର ଥିଲା ଯେ ବିଜେପି ରାଜଧାନୀରେ ୨୭ ବର୍ଷର କ୍ଷମତା ମରୁଡ଼ିକୁ ଶେଷ କରିପାରିବ କି ନାହିଁ? ସେହିପରି, ଗତ ଦୁଇଟି ନିର୍ବାଚନରେ ଗୋଟିଏ ବି ଆସନ ଜିତିପାରିନଥିବା କଂଗ୍ରେସ ମଧ୍ୟ ଏହି ନିର୍ବାଚନରୁ ବହୁତ ଆଶା ରଖିଥିଲା। ସଂପୂର୍ଣ୍ଣ ଫଳାଫଳ ଆସିବା ଯାଏଁ ଅପେକ୍ଷା କରିବାକୁ ହେବ।
ଅଧିକ ପଢ଼ନ୍ତୁ: ୮ମ ରାଉଣ୍ଡର ଗଣନା ଶେଷ; ଏତିକି ଭୋଟ୍ରେ ବିଜେପି ଆଗୁଆ